ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଏସ୍ପି ବାଲାସୁବ୍ରମଣ୍ୟମଙ୍କର ଦେହାନ୍ତ। ଚେନ୍ନାଇର ଏମ୍ଜିଏଚ୍ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଯାଇଥିବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟର ଓ ଇସିଏମ୍ଓ ସପୋର୍ଟରେ ରଖାଯାଇଥିଲା। ସେପ୍ଟେମ୍ବର ୭ ତାରିଖରେ ସେ କୋଭିଡ୍ରୁ ସୁସ୍ଥ ହୋଇବି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂରା ସୁଧୁରି ନଥିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା।
ବାଲସୁବ୍ରମଣ୍ୟମ୍ ୧୯୬୬ ମସିହାରେ ତେଲ୍ଗୁ ଚଳଚ୍ଚିତ୍ର ‘ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ରାମନ୍ନା‘ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତ ଡେବ୍ୟୁ କରିଥିଲେ। ବାଲସୁବ୍ରମଣ୍ୟମ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୪୦ ହଜାରରୁ ଊର୍ଧ୍ବ ଗୀତ ରେକର୍ଡ କରିଛନ୍ତି। ୧୬ଟି ଭାରତୀୟ ଭାଷାରେ ସେ ବିଭିନ୍ନ ପ୍ରକାରର ଗୀତ ସଂଗୀତ ପ୍ରେମୀଙ୍କୁ ଭେଟି ଦେଇଛନ୍ତି। ବାଲସୁବ୍ରମଣ୍ୟମ ସର୍ବାଧିକ ଗୀତ ଗାଇ ଗିଜିନ୍ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ଲେଖାଇବାରେ ସଫଳ ହୋଇଛନ୍ତି। ଶ୍ରେଷ୍ଠ ପୁୁରୁଷ ପ୍ଲେବ୍ୟାକ୍ କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଥିବା ବେଳେ ସେ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ସମ୍ମାନଜନକ ‘ପଦ୍ମଶ୍ରୀ’ ଓ ୨୦୧୧ରେ ‘ପଦ୍ମ ଭୂଷଣ’ ପାଇଥିଲେ ।