ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପାଗଳ ଘୋଷଣା କରିଛି । ସେନା ମୁଖପାତ୍ର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଏକ ବିବୃତି ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି, ଇମ୍ରାନ ଖାଁ ଏବେ ମାନସିକ ରୋଗୀ ହୋଇଯାଇଛନ୍ତି । ସେ ଦେଶଦ୍ରୋହୀଙ୍କ ଭାଷା କହୁଛନ୍ତି । ଇମ୍ରାନ ଖାଁ ଜେଲରୁ ସାଧାରଣ ଲୋକଙ୍କୁ ସେନା ବିରୋଧରେ ଉସକାଇବାକୁ ଚେଷ୍ଟା କରୁଛନ୍ତି, ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ । ସେନା ମୁଖପାତ୍ର ଲେଫ୍ଟନାଂଟ୍ ଜେନେରାଲ ଅହମଦ ଚୌଧୁରୀ ସାମ୍ବାଦିକମାନଙ୍କ ସହ କଥା ହେବା ସମୟରେ କହିଛନ୍ତି, \”ଇମ୍ରାନ ଖାଁ ଶତ୍ରୁର ଭାଷା କହୁଛନ୍ତି । ସେ ପ୍ରତ୍ୟେକ ବିବୃତିରେ ଶେଖ ମୁଜିବୁର ରହମାନଙ୍କ ନାମ ନେଉଛନ୍ତି । ଏହା ଦେଶ ପ୍ରତି ବିଶ୍ୱାସଘାତକତା । ୧୯୭୧ ମସିହାରେ ପାକିସ୍ତାନ ବିଭାଜନର କାରଣ ହୋଇଥିଲେ ମୁଜିବୁର ରହମାନ ।’
ଚୌଧୁରୀ ଆହୁରି କହିଛନ୍ତି, ଇମ୍ରାନ ଖାଁ ସବୁବେଳେ ସେନାମୁଖ୍ୟଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି । ଆମେ ପାକିସ୍ତାନୀ ସେନା ଏବଂ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଦେବୁ ନାହିଁ । ଆମେ ଇମ୍ରାନକୁ ଭେଟିବାକୁ କାହାକୁ ଅନୁମତି ଦେବୁନାହିଁ ।
ସୂଚନାଯୋଗ୍ୟ, ପାକସେନା ବୟାନ ଏପରି ସମୟରେ ଆସିଛି, ଇମ୍ରାନ ଖାଁଙ୍କ ଭଉଣୀ ତାଙ୍କୁ ଜେଲରେ ଭେଟି ଫେରିଛନ୍ତି । ଏହା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ପ୍ରତିରକ୍ଷା ମୁଖ୍ୟ ପଦବୀକୁ ଉନ୍ନୀତ କରିଛନ୍ତି ।