ପାକିସ୍ତାନ ଚକ୍ଷୁହୀନ କ୍ରିକେଟ୍ ଟିମ୍କୁ ମିଳିଲାନି ଭିସା
ଆମେ ବହୁତ ଚେଷ୍ଟା କରି ପାକିସ୍ତାନୀ ଚକ୍ଷୁହୀନ କ୍ରିକେଟ୍ ଟିମକୁ ଭିସା ଦେଇ ପାରିଲୁନି….
ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଚକ୍ଷୁହୀନଙ୍କ ୨୦୨୨ ଟି-୨୦ ବିଶ୍ୱକପ୍ । ଉକ୍ତ ବିଶ୍ୱକପ୍ରେ ଭାଗ ନେବା ପାଇଁ ପାକିସ୍ତାନୀ ଚକ୍ଷୁହୀନ ଦଳକୁ ଭିସା ଦେବାକୁ ଭାରତ ସରକାର ଉଚିତ ମନେକଲେନି । ବ୍ଲାଇଣ୍ଡ୍ କ୍ରିକେଟ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ସିଏବିଆଇ) ଅଧ୍ୟକ୍ଷ ଜିକେ ମହନ୍ତେଶଙ୍କ ସୂଚନା ମୁତାବକ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଛି ଚକ୍ଷୁହୀନ ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଂଟ । ଭାରତର ପ୍ରମୁଖ ୯ଟି ସହରରେ ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି ।
ଉକ୍ତ ଟୁର୍ଣ୍ଣାମେଂଟରେ ଭାଗ ନେବାର ଅଭିଳାଷ ପୋଷଣ କରି ପାକିସ୍ତାନ ଭିସା ଆବେଦନ କରିଥିଲା । ମାତ୍ର ପାକିସ୍ତାନର ଭିସା ଖାରଜ ହୋଇଯାଇଛି । ଆମେ ବହୁତ ଚେଷ୍ଟା କରି ପାକିସ୍ତାନୀ ଚକ୍ଷୁହୀନ କ୍ରିକେଟ୍ ଟିମକୁ ଭିସା ଦେଇ ପାରିଲୁନି । ଟୁର୍ଣ୍ଣାମେଂଟର ପ୍ରଥମ ମ୍ୟାଚ୍ଟି ଭାରତ-ନେପାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାରତ ହାତରୁ ନେପାଳ ଶୋଚନୀୟ ଭାବେ ପରାସ୍ତ ହୋଇଛି ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ୭ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥାନ୍ତା । ଏ ସଂପର୍କରେ ପାକିସ୍ତାନ ବ୍ଲାଇଣ୍ଡ୍ କ୍ରିକେଟ୍ କାଉନସିଲ କ୍ଷୋଭ ପ୍ରକାଶ କରି କହିଛି, ଆମ ପାଖରେ ବିଶ୍ୱବିଜେତା ହେବାର ଯୋଗ୍ୟତା ରହିଛି । ମାତ୍ର ଆମର ଦୁର୍ଭାଗ୍ୟ ଯେ ଆମକୁ ଖେଳିବାକୁ ସୁଯୋଗ ମିଳିଲାନି । ୨୦୧୨ ଓ ୨୦୧୭ରେ ପାକିସ୍ତାନ ଉପବିଜେତା ଥିଲା । ଆସନ୍ତା ୧୭ ତାରିଖରେ ଚକ୍ଷୁହୀନ କ୍ରିକେଟ୍ ଫାଇନାଲ ଅନୁଷ୍ଠିତ ହେବ ।