ଏସ୍ ନ୍ୟୁଜ,(ବ୍ୟୁରୋ):ତାଲିବାନ ଓ ପାକିସ୍ତାନ ଯବାନମାନଙ୍କୁ ବିଶେଷକରି ଆଫଗାନିସ୍ତାନରେ ଥିବା ଭାରତୀୟ ନିର୍ମାଣଗୁଡ଼ିକୁ ନଷ୍ଟ କରିବା ସହିତ ସେଠାରେ ଭାରତୀୟ ସଦ୍ଭାବନାର ଚିହ୍ନବର୍ଣ୍ଣ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାର୍ପଣ କରିବାପରେ ତାଲିବାନ୍ ଏବେ ରକ୍ତମୁଖା ହୋଇପଡ଼ିଛି । ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରାଇବାରେ ଲାଗିଛି । ଏହା ଭିତରେ ଭାରତକୁ କଳେ, ବଳେ ଓ କୌଶଳେ ହଇରାଣ କରିବାକୁ ଲାଗିପଡ଼ିଛି ପାକିସ୍ତାନ। ଏଥିପାଇଁ ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନରେ ସାମିଲ ହୋଇଥିବା ପାକିସ୍ତାନ ସେନାକୁ ଆଫଗାନିସ୍ତାନରେ ଥିବା ଭାରତୀୟ ସମ୍ପତ୍ତି ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ ବା (ଆଇଏସ୍ଆଇ) ଦେଇଛି।
ସୂଚନା ଥାଉକି ଗତ ଦୁଇ ଦଶନ୍ଧି ଧରି ଭାରତ ଆଫଗାନିସ୍ତାନର ପୁନର୍ନିର୍ମାଣରେ ଲାଗିଛି। ଏଥିପାଇଁ ୩ ବିଲିୟନ ଆମେରିକୀୟ ଡଲାରର ନିବେଶ କରାଯାଇଛି। ଡେଲାରମ ଓ ଜରାଂଜ ସଲମାନ ବନ୍ଧ ମଧ୍ୟରେ ଥିବା ୨୧୮ କିମି ସଡ଼କ ନିର୍ମାଣ ହେଉ କି ଅଫଗାନ ସଂସଦ ଭବନ ନିର୍ମାଣ ସବୁ ଭାରତ ନିର୍ମାଣ କରିଛି। ତା ସହିତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଭାରତର ସହଯୋଗ ରହିଛି। ସେଠାକାର ଶିକ୍ଷକମାନଙ୍କୁ ଟ୍ରେନିଂ ଦେବା ସହିତ ପାଠ୍ୟ ଭିତ୍ତିଭୂମି ସଜାଡ଼ିବା ଆଦି ଦିଗରେ ଭାରତ ଆଫଗାନିସ୍ତାନକୁ ସହଯୋଗ କରୁଛି।
ଆଫଗାନିସ୍ତାନରେ ଭାରତ ନିର୍ମାଣ କରିଥିବା ସମ୍ପତ୍ତି ନଷ୍ଟ କରିବାକୁ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ସେନା ଯବାନକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ। ମିଳିଥିବା ଖବର ଅନୁସାରେ, ଅଶ୍ରଫ ଗନୀଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ସରକାର ବିରୋଧରେ ତାଲିବାନର ଲଢ଼େଇକୁ ଖୋଲା ସମର୍ଥନ ଦେଉଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନର ୧୦ ହଜାରରୁ ଅଧିକ ଯବାନ ତାଲିବାନରେ ସାମିଲ ହୋଇଛନ୍ତି।
ତେବେ ଏଭଳି ସ୍ଥିତି ଭାରତ ଆଫଗାନିସ୍ତାନର ବିକାଶ କାର୍ଯ୍ୟା ଜାରି ରଖିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଛି। ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ରାସ୍ତା କାମରେ ଲାଗିଥିବା ଭାରତୀୟ କର୍ମଜୀବୀମାନଙ୍କୁ ମଧ୍ୟ ସେଠାରୁ ଚାଲିଯିବାକୁ କୁହାଯାଇଛି। ସୂଚନା ଥାଉକି ନିକଟରେ କାବୁଲ ସହରରେ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ଶାହତୁତ ବନ୍ଧ ସହିତ ପାଖାପାଖି ୩୫୦ ଆମେରିକୀୟ ଡଲାର ପୁଞ୍ଜି ନିବେଶର ଘୋଷଣା କରିଥିଲା ଭାରତ।