ନୂଆଦିଲ୍ଲୀ: ଆର୍ଥିକ ବିପର୍ଯ୍ୟୟର ଶିକାର ହୋଇ ମଧ୍ୟ ଆମେରିକା ପାକିସ୍ତାନକୁ ଦେଇଛି ପ୍ରାୟ ୫୮୦୦ କୋଟି ଟଙ୍କା (୬୮୬ ନିୟୁତ ଡଲାର)। ପାକିସ୍ତାନ ନିକଟରେ ମହଜୁଦ ଏଫ୍-୧୬ ଲଢୁଆ ଜେଟ୍ଗୁଡ଼ିକ ନବରୂପ ପାଇବ। ଆମେରିକା ସହାୟତା ବଳରେ ପାକିସ୍ତାନ ଉନ୍ନତ ଗୁଣମାନର ଯନ୍ତ୍ରାଂଶ ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବ।
ନୂତନ ପ୍ରଯୁକ୍ତି ବିଦ୍ୟାବଳରେ ପାକିସ୍ତାନ ଲଢୁଆ ଜେଟ୍ଗୁଡ଼ିକ ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଯିବ ବୋଲି ପାକିସ୍ତାନ ଭାବିଛି। ଆମେରିକା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି ଏ ସମ୍ପର୍କରେ ଆମେରିକୀୟ କଂଗ୍ରେସକୁ ଚିଠି ପଠାଇଛି। ପ୍ରସ୍ତାବିତ ବିକ୍ରୟକୁ ସମୀକ୍ଷା କରିବା ପାଇଁ କଂଗ୍ରେସ ପାଖରେ ୩୦ ଦିନ ସମୟ ଅଛି। ତଥାପି ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଭାରତ କଥାକୁ ଦୃଷ୍ଟିରେ ରଖି କଂଗ୍ରେସକୁ ପଠା ଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନକୁ ଦିଆଯାଉଥିବା ସହାୟତାର ପ୍ରଭାବ ଭାରତ ଉପରେ ପଡ଼ିବନି।
ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ, ଏହି ପ୍ୟାକେଜରେ ଲିଙ୍କ-୧୬ ଡାଟା ଲିଙ୍କ ସିଷ୍ଟମ, କ୍ରିପ୍ଟୋଗ୍ରାଫିକ୍ ଉପକରଣ (ଗୁପ୍ତ କୋଡ୍), ଏଭିଓନିକ୍ସ ଅପ୍ଡେଟ୍ (ବିମାନ ଇଲେକ୍ଟ୍ରୋନିକ୍ ସିଷ୍ଟମ), ପାଇଲଟ୍ ତାଲିମ ଏବଂ ଲଜିଷ୍ଟିକ୍ ସହାୟତା ଇତ୍ୟାଦି ରହିଛି। ଉକ୍ତ ପ୍ୟାକେଜ ଏଫ୍-୧୬ ଆୟୁଷକୁ ୨୦୪୦ ପର୍ଯ୍ୟନ୍ତ ବୃଦ୍ଧି କରିଦେବ।