ଦେବାଳିଆ ପାକିସ୍ତାନ ଏବେ କର୍ମଚାରୀଙ୍କୁ ଦରମା ଦେଇପାରୁନି । ସରକାର ବଦଳିଗଲା, ମାତ୍ର ଆନ୍ତର୍ଜାତିକ ବଜାରରୁ ପାକିସ୍ତାନକୁ ଆର୍ଥିକ ସାହାଯ୍ୟ ମିଳୁନି । ଚୀନ ଉପରେ ଭରସା କରିଥିଲା ପାକିସ୍ତାନ । ମାତ୍ର କୌଣସି କାରଣରୁ ପାକିସ୍ତାନକୁ ଟଙ୍କା ଉଧାର ଦେବାକୁ ଚୀନ ରାଜି ହେଉନି । କେମିତି ଟଙ୍କା ରୋଜଗାର କରି ଦେଶ ଚଳାଇବ, ସେଇ ଚିନ୍ତାରେ ପାକ୍ ସରକାର ଏପରି କିଛି ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକୁ ଶୁଣିଲେ ନହସି ରହିପାରିବେନି ଆପଣ ।
ଦିନେ ଗ୍ୱାଦର ସହରଟାକୁ ସାଉଦି ଆରବର ଦୁବାଇ ସହର ଭଳି ଚକାଚକ୍ କରିବ ବୋଲି ଚୀନ୍ ଫୁଟାଣି ମାରିଥିଲା । ପାକିସ୍ତାନ ଓ ଚୀନ ମିଳିତ ଭାବେ ବେଲୁଚିସ୍ତାନର ଗ୍ୱାଦର ସହରକୁ ଦୁବାଇ ଭଳି ଅତ୍ୟାଧୁନିକ ସହର ବନାଇବାକୁ ଅଂଟା ଭିଡ଼ିଥିଲେ । ତଦନୁସାରେ ଚୀନ ଗ୍ୱାଦରରେ ସିପିଇସି ଯୋଜନା ଆରମ୍ଭ କଲା । ୫୦ ନିୟୁତ ଡଲାର ଖର୍ଚ୍ଚ କଲା । ଏତେ ଟଙ୍କା ବିନିଯୋଗ କରିବା ପରେ ମଧ୍ୟ ଗ୍ୱାଦର ଚେହେରା ବଦଳିଲାନି । ଗ୍ୱାଦର କଥା ଭାବିଲା ବେଳକୁ ଚୀନ ମୁଣ୍ଡ କାମ କରୁନି ।
ସବୁଠାରୁ ଚିନ୍ତାର ବିଷୟ ହେଉଛି, ଗ୍ୱାଦରରେ ଚୀନ ନାଗରିକଙ୍କ ଉପରେ ବାରମ୍ବାର ହମ୍ଲା ଚାଲିଛି । ଚୀନରେ ଗଧ ମାଂସ, ହାଡ ଓ ଚମଡ଼ାର ଚାହିଦାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗ୍ୱାଦରରେ ପ୍ରଥମ କଂସେଇ ଖାନା ପ୍ରତିଷ୍ଠା କରିବାକୁ ଅଂଟା ଭିଡିଛି । କଂସେଇ ଖାନା କରିବା ବାଟରେ ପାକିସ୍ତାନ ପ୍ରାୟ ୭୦ ଲକ୍ଷ ଡଲାର ଖର୍ଚ୍ଚ କରି ସାରିଲାଣି । କଥା କ’ଣ କି, ଚୀନରେ ବହୁଳ ପ୍ରଚଳିତ ଦେଶୀ ଔଷଧ ତିଆରି କାମରେ ଗଧ ମାଂସ, ହାଡର ବହୁଳ ବ୍ୟବହାର କରାଯାଉଛି । ବିଶେଷ କରି ପୁରୁଷଙ୍କ ଯୌନ କ୍ଷମତା ବଢ଼ାଇବା ପାଇଁ ଉକ୍ତ ଔଷଧ ତିଆରି କରାଯାଏ ।
ଗ୍ୱାଦରସ୍ଥିତ ପ୍ରଥମ କଂସେଇଖାନାକୁ ଚାଇନା କମ୍ପାନୀ ହାନଗେଙ୍ଗ ଟ୍ରେଡ୍ କମ୍ପାନୀ ତିଆରି କରିଛି । ପାକିସ୍ତାନରେ ମାଲ ବୋହିବା କାମରେ ଗଧକୁ ନିୟୋଜିତ କରାଯାଉଛି । ଇସଲାମ ଧର୍ମାନୁସାରେ ଗଧକୁ ପବିତ୍ର ବୋଲି ଧରି ନିଆଯାଏ । ନିକଟ ଅତୀତରେ ଚୀନ ସରକାରଙ୍କ ସହିତ ପାକିସ୍ତାନ ସରକାର ଗଧ ଚମଡ଼ା କାରବାର ସଂପର୍କୀତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି ।