ଧଳା ଜହର ଧରି ଭାରତକୁ ଆସୁଛି ପାକିସ୍ତାନୀ ଡ୍ରୋନ୍‌

ପରିଣାମ ସ୍ୱରୂପ ଡ୍ରୋନ୍‌ଟି ପାକିସ୍ତାନ ଭିତରକୁ ପଳାଇଥିଲା….

ଚଣ୍ଡିଗଡ଼: ପଞ୍ଜାବର ଫଜିଲକା ଜିଲ୍ଲାର ଏକ ନିକାଂଚନ ସ୍ଥାନରୁ ସୀମା ସୁରକ୍ଷା ବଳ ଯବାନମାନେ ୨୫ କିଲୋ ହେରୋଇନ୍‌ ଜବତ କରିଛନ୍ତି । ହେରୋଇନ ସହିତ ବହୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି । ପାକିସ୍ତାନ ଡ୍ରୋନରୁ ପଡ଼ିଥିବା ହେରୋଇନ୍‌ ନେବା ପାଇଁ ତିନି ଚାରିଜଣ ଲୋକ ଘଟଣାସ୍ଥଳକୁ ଆସୁଥିଲେ ମାତ୍ର ବିଏସ୍‌ଏଫ୍‌ ଯବାନଙ୍କୁ ଦେଖି ପଳାୟନ କରିଥିଲେ । ବିଏସ୍‌ଏଫ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଦିନ ପ୍ରାୟ ୧୨ଟାରେ ପାକିସ୍ତାନ ଆଡୁ ଗୋଟାଏ ଶବ୍ଦ ଶୁଣାଗଲା ।

ଶବ୍ଦଟି କ୍ରମେ ନିକଟତର ହେବାରୁ ତାହା ଏକ ଡ୍ରୋନର ଶବ୍ଦ ଜଣାପଡ଼ିଥିଲା । ଭାରତ-ପାକ୍‌ ସୀମାନ୍ତ ଚୁରିୱାଲା ନିକଟରେ ଡ୍ରୋନଟି ଭାରତ ଭିତରକୁ ପ୍ରବେଶ କରିଥିଲା । ବିଏସ୍‌ଏଫ୍‌ ଯବାନମାନେ ଉକ୍ତ ଡ୍ରୋନ୍‌ ଉପରକୁ ଗୁଳି ଚଳାଇଥିଲେ । ପରିଣାମ ସ୍ୱରୂପ ଡ୍ରୋନ୍‌ଟି ପାକିସ୍ତାନ ଭିତରକୁ ପଳାଇଥିଲା । ଡ୍ରୋନ୍‌ ଉଡୁଥିବା ସ୍ଥାନକୁ ତଲାସି କରାଯିବାରୁ ୭.୫ କିଲୋ ପରିମାଣର ୯ଟି ହେରୋଇନ୍‌ ପ୍ୟାକେଟ୍‌, ଗୋଟିଏ ପିସ୍ତଲ, ଦୁଇଟି ମାଗାଜିନ ଓ ୫୦ ରାଉଣ୍ଡ ଗୁଳି ମିଳିଥିଲା ।

ବିଏସ୍‌ଏଫ୍‌ ଯବାନମାନେ ସଂପୃକ୍ତ ଇଲାକାକୁ ଭଲ ଭାବରେ ତଲାସ କରିବାରୁ ଆଉ ଗୋଟିଏ ସ୍ଥାନରୁ ଗୋଟିଏ ଧୂସର ରଙ୍ଗର ସାଲ ଠାବ କରିଥିଲେ ଯୋଉଥିରେ ୭ଟି ହେରୋଇନ୍‌ ପ୍ୟାକେଟ୍‌ ରଖାଯାଇଥିଲା । ସଂପୃକ୍ତ ହେରୋଇନର ଓଜନ ସାଢେ଼ ୧୭ କିଲୋ । ଭାରତରେ ସକ୍ରିୟ ନିଶା ବେପାରୀଙ୍କ ନିକଟକୁ ପାକିସ୍ତାନର କୋଉ ଆତଙ୍କୀ ସଂଗଠନ ହେରୋଇନ୍‌ ସହିତ ବନ୍ଧୁକ ଓ ଗୁଳିଗୋଳା ପଠାଉଛି, ତାହା ଅସ୍ପଷ୍ଟ ରହିଛି ।