୧୯୭୧ ପରାଜୟ ପାଇଁ ପାକ୍‌ସେନା ମୁଣ୍ଡରେ ଅଠା

ଅବଶିଷ୍ଟ ୫୬ ହଜାର ପାକିସ୍ତାନର ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଥିଲେ….

ଇସଲାମାବାଦ: ୧୯୭୧ରେ ଭାରତଠାରୁ ପାକିସ୍ତାନର ଶୋଚନୀୟ ପରାଜୟ କ୍ରମେ ବିବାଦ ଭିତରକୁ ପ୍ରବେଶ କରିଛି । ପାକିସ୍ତାନ ସେନାର ବିଦାୟୀ ଜେନେରାଲ ବାଜୱା ତାଙ୍କ ଅବସରକାଳୀନ ଭାଷଣରେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ପାକ୍‌ସେନାର ପରାଜୟ ପାଇଁ ତକ୍ରାଳୀନ ରାଜନୈତିକ ନେତୃତ୍ୱକୁ ଦାୟୀ କରିଥିଲେ । ମାତ୍ର ଆଜି ପାକିସ୍ତାନର ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ପାକିସ୍ତାନ ପିପୁଲ୍ସ ପାର୍ଟିର ୫୫ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ତକ୍ରାଳୀନ ସେନା ପରିଚାଳନାକୁ ଦାୟୀ କରିଛନ୍ତି ।

ମାତ୍ର ଐତିହାସିକମାନେ ମହମ୍ମଦ ଅଲୀ ଜିନ୍ନାଙ୍କ ଦୁଇ ରାଷ୍ଟ୍ର ନୀତିକୁ ଦାୟୀ କରିଛନ୍ତି । ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବାଜୱା ବିଭିନ୍ନ ଆଳରେ ସେନାପାଣ୍ଠିରୁ କୋଟି କୋଟି ଟଙ୍କା ଲୁଟିଛନ୍ତି । ସଂପର୍କୀୟ ଲୋକଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ସେନାବାହିନୀର ଦେଶପ୍ରେମକୁ କଳଙ୍କିତ କରିଛନ୍ତି । ସେହି ଅପବାଦରୁ ଖସିବା ପାଇଁ ବାଜୱା ତାଙ୍କର ଅବସରକାଳୀନ ଭାଷଣରେ ୧୯୭୧ ପରାଜୟ ବିଷୟ ଉଠାଇ ତକ୍ରାଳୀନ ରାଜନୈତିକ ନେତୃତ୍ୱକୁ ଦୋଷାରୋପ କରିଥିଲେ ।

ସେନାବାହିନୀକୁ କଳଙ୍କମୁକ୍ତ କରି ଦୁର୍ନୀତି ଅଭିଯୋଗରୁ ବାଜୱା ଖସିଯିବାର ଯୋଜନା କରୁଥିଲେ । ବାଜୱା ପୁଣି କହିଥିଲେ ଯେ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିବା ପାକିସ୍ତାନ ସେନା ଅଧିକାରୀ ଓ ଯବାନଙ୍କ ସଂଖ୍ୟା ବାସ୍ତବରେ ୯୦ ହଜାରରୁ ଅଧିକ ନଥିଲା; ମାତ୍ର ୩୪ ହଜାର ଥିଲା । ଅବଶିଷ୍ଟ ୫୬ ହଜାର ପାକିସ୍ତାନର ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଥିଲେ । ବାଜୱାଙ୍କ ମତରେ ପାକିସ୍ତାନର ମାତ୍ର ୩୪ ହଜାର ସେନା ଅଧିକାରୀ ଓ ଯବାନ ଭାରତ ସେନାବାହିନୀର ଅଢେ଼ଇ ଲକ୍ଷ ଯବାନ ଓ ମୁକ୍ତି ବାହିନୀର ୨ ଲକ୍ଷ ଯବାନଙ୍କ ସହ ମୁକାବିଲା କରିଥିଲେ ।

ବାଜୱାଙ୍କ ମତାମତକୁ ପାକିସ୍ତାନ ଜନତା ସହଜରେ ଗ୍ରହଣ କରିନାହାନ୍ତି । ବାଜୱାଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନରେ ସକ୍ରିୟ ବିଭିନ୍ନ ରାଜନୈତିକ ଦଳ ଭିତରେ ବିତର୍କର ସୂତ୍ରପାତ ହୋଇଛି । ପିପିପି ନେତା ବିଲାବଲଙ୍କ ପାକିସ୍ତାନ ସେନାବାହିନୀକୁ ଦୋଷାରୋପ ବାଜୱାଙ୍କୁ ପୁଣି ବିବାଦ ଭିତରକୁ ଟାଣି ଆଣିଛନ୍ତି ।