ବିମାନ ଯାତ୍ରୀ ସମୟରେ ମାସ୍କ ପିନ୍ଧିବା ବାଧ୍ୟ: ଡିଜିସିଏ

ଡିଜିସିଏ ବିମାନ ବନ୍ଦର ଏବଂ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦେଇଛି…

ନୂଆଦିଲ୍ଲୀ : ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ । ଏନେଇ ଡିଜିସିଏ ସୂଚନା ଦେଇଛି । ଯାତ୍ରୀ ମାସ୍କ ପିନ୍ଧି ନଥିଲେ ଉଡାଣ ପୂର୍ବରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଦେଶରେ ପୁଣି କୋରୋନା ସଂକ୍ରମଣ ବଢୁଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୂଆ ଗାଇଡଲାଇନ ଜାରି କରାଯାଇଛି । କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇ ବିମାନ ବନ୍ଦର ଓ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ପୁଣିଥରେ ବାଧ୍ୟତାମୂଳକ କରାଯାଇଛି । ଡିଜିସିଏ ବିମାନ ବନ୍ଦର ଏବଂ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ବିମାନ ଯାତ୍ରା ବେଳେ ଯଦି କୌଣସି ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଯେପରି ସମସ୍ତ ବିମାନ ଯାତ୍ରୀ ଯାତ୍ରା ସମୟରେ ଠିକ୍‌ ଭାବେ ମାସ୍କ ପିନ୍ଧିବେ ଏବଂ ବିମାନ ବନ୍ଦର ଓ ବିମାନଙ୍କୁ ଉପଯୁକ୍ତ ସାନିଟାଇଜେସନ କରାଯିବ ତାହା ସୁନିଶ୍ଚିତ କରିବାକୁ ଗାଇଡଲାଇନରେ କୁହାଯାଇଛି । ଏଥିସହ ବିନା ମାସ୍କରେ ଯେପରି କେହି ଜଣେ ବି ବିମାନ ବନ୍ଦର ଭିତରେ ପ୍ରବେଶ ନ କରନ୍ତି ତାହା ଧ୍ୟାନ ରଖିବାକୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଓ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ଡିଜିସିଏ ।