‘ଇଣ୍ଡିଆନ୍ ଆଇଡଲ୍-୧୨’ର ବିଜେତା ହେଲେ ପୱନଦୀପ୍ ରାଜନ୍

ମୁମ୍ବାଇ: ଦେଶର ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୨ର ବିଜୟୀ ମୁକୁଟ। ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ସହ ତାଙ୍କର କଡ଼ା ଟକ୍କର ମଧ୍ୟ ହୋଇଥିଲା। ତେବେ ଶେଷରେ ସେ ବିଜୟୀ ହୋଇଥିଲେ। ବିଜୟୀ ଟ୍ରଫି ସହିତ ତାଙ୍କୁ ପୁରସ୍କାର ବାବଦକୁ ୨୫ ଲକ୍ଷ ଟଙ୍କା ଓ ଏକ କାର୍‌ ମିଳିଛି।

ଏହି ପ୍ରତିଯୋଗୀତାରେ ପବନଦୀପଙ୍କୁ କଡ଼ା ଟକ୍କର ଦେଉଥିବା ଅରୁଣିତା କାଞ୍ଜିଲାଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସାୟଲି କାମ୍ବଲି ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ମୋହମ୍ମଦ ଦାନିଶ ଚତୁର୍ଥ ଓ ନିହାଲ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସବୁଠୁ କମ୍ ଭୋଟ୍ ପାଇ ଶନମୁଖପ୍ରିୟା ଷଷ୍ଠ ସ୍ଥାନରେ ରହିଥିଲେ।

ପବନଦୀପଙ୍କ ସହିତ ଅରୁଣିତା ଓ ମୋହମ୍ମଦ ଦାନିଶ ପ୍ରମୁଖ କରଣ ଜୋହରଙ୍କ ଧର୍ମା ପ୍ରହକ୍ସନ୍ସରେ କାମ କରିବା ପାଇଁ ଅଫର ପାଇ ସାରିଛନ୍ତି। ଶୋ’କୁ ଗେଷ୍ଟ ହୋଇ ଆସିଥିବା କରଣ ସେମାନଙ୍କୁ ଏହି ଅଫର ଦେଇଥିଲେ। ସେହିଭଳି ସଙ୍ଗୀତ ନିର୍ଦ୍ଦେଶକ ତଥା ଶୋ’ର ଜଜ୍ ହିମେଶ ରେଶମିୟା ମଧ୍ୟ କିଛି ପ୍ରତିଯୋଗୀଙ୍କୁ ନିଜ ଆଲବମ୍‌ରେ ଗାଇବାକୁ ସୁଯୋଗ ଦେଇଛନ୍ତି।