Lokpal: ଲୋକପାଳଙ୍କର ଦାମୀ ଗାଡ଼ି ଚଢ଼ିବାର ନିଶା ସଂପର୍କରେ ଜାଣିବା ପରେ ଲୋକମାନେ ଲୋକପାଳଙ୍କ ବିଚାରଧାରା ପ୍ରତି ଆଶଙ୍କା ବ୍ୟକ୍ତ କରିଛନ୍ତି ।
ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୂଳପୋଚ୍ଛ କରିବା ଭଳି ଗୁରୁଦାୟିତ୍ୱ ବହନ କରିଥିବା ଲୋକଙ୍କ ମନରେ ଯଦି ଦାମୀ ଗାଡ଼ି ଚଢ଼ିବାର ଲାଳସା ଦେଖାଦିଏ, ତେବେ ରାଜକୋଷକୁ ଲୁଟି ଚାଲିଥିବା ଲୋକଙ୍କ ଅଭାବ ରହିବନି ।
ମହାମାନ୍ୟ ଲୋକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୧୬ ତାରିଖରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଲୋକପାଳ ମହୋଦୟ ଉଚ୍ଚମାନର ବି ଏମ୍ ଡବ୍ଲ୍ୟୁ ୩୩୦ ଲାଇ (ଲଙ୍ଗ୍ ହ୍ୱିଲ ବେସ୍) ଗାଡ଼ି କିଣିବା ପାଇଁ ଆଗ୍ରହୀ ପାର୍ଟି ନିକଟରୁ ପ୍ରସ୍ତାବ ଲୋଡ଼ିଛନ୍ତି ।
ବିଜ୍ଞପ୍ତି ଅନୁସାରେ କାର ବିକ୍ରୟ ପାଇଁ ପ୍ରସ୍ତାବ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୬ ତାରିଖ ଦିନ ୩ଟା ପର୍ଯ୍ୟନ୍ତ ।
ଲୋକପାଳଙ୍କ ମନ ଓ ମସ୍ତିଷ୍କରେ ବସିଥିବା ଦାମୀ ବି ଏମ୍ ଡବ୍ଲ୍ୟୁ କାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ।
ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୭ଟି ବି ଏମ୍ ଡବ୍ଲ୍ୟୁ କିଣାଯିବ ।
ଏଇ ପ୍ରସଙ୍ଗଟିକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନଜୀବୀ ପ୍ରଶାନ୍ତ ଭୂଷଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ନିକଟରୁ ଧୋକା ଖାଇବା ପରେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଲୋକପାଳଙ୍କ ବି ଏମ୍ ଡବ୍ଲ୍ୟୁ ଦୁର୍ବଳତା ଦେଶବାସୀଙ୍କୁ ଦୋ ଛକିରେ ଛିଡ଼ା କରିଛି ।