ନାଥୁରାମଙ୍କୁ ହିରୋ କହୁଥିବା ଲୋକମାନେ ମାନସିକ ରୋଗୀ

ଗଣେଶ ଭସାଣି ଶୋଭାଯାତ୍ରାରେ ନାଥୁରାମଙ୍କ ପୋଷ୍ଟର…….

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବାପୁଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ପୋଷ୍ଟର ଗଣେଶ ଭସାଣି ପରିବେଶକୁ ବିବାଦୀୟ କରିଛି । ସାରାଦେଶ ମହାତ୍ମା ଗାନ୍ଧୀଙ୍କୁ ଭଗବାନଙ୍କ ଅବତାର ମଣୁଥିଲା ବେଳେ କିଛି ଭିନ୍ନ ଚିନ୍ତାଧାରାର ଯୁବବର୍ଗ ନାଥୁରାମ ଗଡ୍‌ସେଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଭଗତ ସିଂହଙ୍କ ସମକକ୍ଷ ମଣୁଛନ୍ତି । ଶୁକ୍ରବାର କର୍ଣ୍ଣାଟକର ଶିମୋଗା ଅଂଚଳରେ ପ୍ରଭୁ ଶ୍ରୀଗଣେଶଙ୍କ ବିସର୍ଜନ ଶୋଭାଯାତ୍ରାରେ ଭାଗ ନେଇଥିବା କିଛି ଯୁବକଙ୍କ ହାତରେ ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା । ସେହି ପୋଷ୍ଟର ଭିତରେ ଜଣେ ନାଥୁରାମ ଗଡ୍‌ସେଙ୍କ ପୋଷ୍ଟର ଧରିଥିଲେ । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଉକ୍ତ ପୋଷ୍ଟରଟି ଦେଖାଯିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅଭିଯୋଗ ପାଇ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।

ଗତ ଅଗଷ୍ଟରେ କର୍ଣ୍ଣାଟକର ତୁମକୁର ଅଂଚଳରେ ହିନ୍ଦୁ ସଂଗଠନର ଲୋକମାନେ ସାଭରକରଙ୍କ ପୋଷ୍ଟର ସହିତ ନାଥୁରାମଙ୍କ ପୋଷ୍ଟର ଲଗାଇଥିଲେ । ସେମାନେ ନାଥୁରାମ ଗଡ୍‌ସେଙ୍କୁ ଭାରତର ଅନ୍ୟତମ ନାୟକ ରୂପେ ଜଣାଇବାକୁ ଚାହୁଁଥିଲେ । ମାତ୍ର କିଛି ସଂଗଠନ ଏକଜୁଟ ହୋଇ ଉଭୟ ସାଭରକର ଓ ନାଥୁରାମଙ୍କ ପୋଷ୍ଟରକୁ ଚିରି ଦେଇଥିଲେ । ମାମଲା ଅଧିକ ବିବାଦୀୟ ହେବା ପୂର୍ବରୁ ପୁଲିସ କୌଶଳକ୍ରମେ ଘଟଣାକୁ ନିୟନ୍ତ୍ରଣାଧୀନ କରିଥିଲା ।

ୟୁପିର ମୁଜାଫରନଗରରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଯୁବକମାନେ ହାତରେ କିଛି ସ୍ୱାଧୀନତା ସଂଗ୍ରାମୀଙ୍କ ପୋଷ୍ଟର ଧରିଥିଲେ । ଉକ୍ତ ପୋଷ୍ଟରଗୁଡ଼ିକ ଭିତରେ ନାଥୁରାମ ଗଡ୍‌ସେଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା । ନାଥୁରାମଙ୍କ ପୋଷ୍ଟରକୁ ଦେଖି ବହୁ ଦେଖଣାହାରୀ ପ୍ରତିବାଦ କରିଥିଲେ । ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଯାଇ ଅଖିଳ ଭାରତ ହିନ୍ଦୁ ମହାସଭା ନେତା ଯୋଗେନ୍ଦ୍ର ବର୍ମା ଲୋକଙ୍କୁ ବୁଝାଇ କହିଥିଲେ ଯେ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି ନାଥୁରାମ ଗଡ୍‌ସେ ମଧ୍ୟ ଜଣେ ସଂଗ୍ରାମୀ ଥିଲେ । ଏହାକୁ ଏତେ ବିବାଦୀୟ ମଣିବା ଅନୁଚିତ ।