ଆତଙ୍କୀ ଲିଙ୍କରେ ପିଏଫଆଇ: ଶାହଙ୍କ ସହ ଡୋଭାଲଙ୍କ ବୈଠକ

ଦେଶର ବିଭିନ୍ନ ରାଜ୍ୟରୁ ୧୦୦ରୁ ଅଧିକ ପିଏଫଆଇ ଏଜେଣ୍ଟ….

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରୁ ୧୦୦ରୁ ଅଧିକ ପିଏଫଆଇ ଏଜେଣ୍ଟ ଗିରଫ ହେବାପରେ ଏବେ ଦେଶବ୍ୟାପୀ ଜୋରଧରିଛି ଚର୍ଚ୍ଚା । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଅଧ୍ୟକ୍ଷ ଓଏମଏ ସଲାମଙ୍କୁ ଏନଆଇଏ ଗିରଫ କରିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ସହ ଲିଙ୍କ ଏବଂ ପାଣ୍ଠି ଯୋଗାଇବା ମାମଲାରେ ୧୦୦ରୁ ଉର୍ଦ୍ଧ୍ୱ ପିଏଫ୍‌ଆଇ ସଦସ୍ୟଙ୍କ ଗିରଫ କରାଯାଇଛି । ଦିଲ୍ଲୀ ପିଏଫଆଇ ମୁଖ୍ୟ ପରଭେଜ ଅହମଦକୁ ମଧ୍ୟ ଗିରଫ କରାଯାଇଛି । ପିଏଫଆଇ ଅଧ୍ୟକ୍ଷ ସଲାମ ଗିରଫ ହେବା ପରେ ସ୍ଥିତି ବିଗିଡିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏନଏସଏ ଅଜିତ ଡୋଭାଲ, ଏନଆଇଏ ଡିଜି, ଗୃହ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ହାଇଲେଭଲ୍‌ ବୈଠକ କରିଛନ୍ତି ଶାହ । ବୈଠକରେ ଦେଶ ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି ।

ଏହା ସହିତ ଆଗକୁ ସ୍ଥିତି ଯେଭଳି ଅଧିକ ନବିଗିଡେ ସେ ନେଇ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୂଚନାଯୋଗ୍ୟ ଦେଶର ୧୦ ରାଜ୍ୟରେ ଘମାଘୋଟ ଚଢାଉ କରିଥିଲେ ଏନଆଇଏ ଏବଂ ଇଡି । ଭାରତର ଉଗ୍ରବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ୧୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ଏବଂ ତାଙ୍କର ସହଯୋଗୀମାନଙ୍କୁ ଗିରଫ କରାଯାଇଥିଲା ।