କାନପୁରରେ ନାରୀଜାତିକୁ କଳଙ୍କିତ କରିବା ଭଳି ଘଟଣାଟିଏ ସାମ୍ନାକୁ ଆସିଛି । କୋଟିକୋଟି ଟଙ୍କାର ସଂପତି ହଡ଼ପ କରି ପ୍ରେମିକାକୁ ବିବାହ କରିବା ଭଳି ହୀନ ଚିନ୍ତାଧାରାକୁ ସାକାର କରିବାକୁ ଯାଇ ଜଣେ ବିବାହିତା ମହିଳା ତାଙ୍କର ଶଶୁର ଓ ସ୍ୱାମୀଙ୍କୁ ବିନା ରକ୍ତପାତରେ ମାରି ଦେଇଛନ୍ତି । ତିନିମାସ ତଳେ ଶ୍ୱଶୁରଙ୍କୁ ଡାକ୍ତରଙ୍କ ପରାମର୍ଶ ତୁଳନାରେ ଅଧିକ ମାତ୍ରାର ଔଷଧ ଦେଇ ଚତୁରତାର ସହିତ ହତ୍ୟା କରିଥିଲା ବେଳେ ଏବେ ସ୍ୱାମୀଙ୍କୁ ମଧ୍ୟ ସେହି ଫର୍ମୁଲାରେ ହତ୍ୟା କରିଥିବା କଥା ଧରାପଡ଼ିଛି ।
ସ୍ୱାମୀଙ୍କୁ ମାରିବା ପାଇଁ ଅଭିଯୁକ୍ତ ମହିଳା ପ୍ରେମିକକୁ ୩ ଲକ୍ଷ ଟଙ୍କା ସୁପାରି ଦେଇଥିବା କଥା ସାମ୍ନାକୁ ଆସିଛି । ଅବଶ୍ୟ ଅସାମାଜିକ ଲୋକଙ୍କ ଆକ୍ରମଣରୁ ମହିଳାଙ୍କ ସ୍ୱାମୀ କୌଣସିମତେ ଖସିଗଲେ । ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ୫ ଦିନ ପରେ ଘରକୁ ଫେରିଥିଲେ । ମାତ୍ର ସୁହାଗିନୀ ପତ୍ନୀ ଡାକ୍ତରଙ୍କ ପରାମର୍ଶ ମୁତାବକ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ମାତ୍ରାର ଔଷଧ ଖୁଆଇବାରୁ ବିଚରା ସ୍ୱାମୀଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଗଲା । ଅସୁସ୍ଥ ବ୍ୟକ୍ତିଜଣକ ପୁଣି ହସ୍ପିଟାଲକୁ ଗଲେ ମାତ୍ର ସେଠାରୁ ଜୀବିତ ଅବସ୍ଥାରେ ଘରକୁ ଫେରି ପାରିଲେନି । ଏଭଳି ଜଘନ୍ୟ ମହିଳାଙ୍କ ନିରୀହ ପତି ହେଉଛନ୍ତି ରିଷଭ ତିୱାରୀ ।
ଘଟଣାର ୧୩ ଦିନ ପରେ ଶୁକ୍ରବାର ପୁଲିସ ସୁପରିକଳ୍ପିତ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିପାରିଛି । ପୁଲିସ ଅଭିଯୁକ୍ତ ସପ୍ନା ଓ ତାଙ୍କର ପ୍ରେମିକ ରାଜ କପୁର ଗୁପ୍ତାର ହ୍ୱାଟ୍ସଆପ୍ ଚାଟ୍କୁ ଯାଂଚ କରି ସବୁକଥା ଜାଣିପାରିଛି । ଯୋଉ ଦିନ ରାତିରେ ରିଷଭଙ୍କର ମୃତ୍ୟୁ ଘଟିଥିଲା । ସେଦିନ ରାତିରେ ତାଙ୍କୁ ଓଭରଡୋଜ୍ ଔଷଧ ଦିଆଯାଇଥିଲା । ଔଷଧ ଖାଇବା ପରେ ରିଷଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପତ୍ନୀ ସପ୍ନା ଭିଡିଓ କଲ୍ ମାଧ୍ୟମରେ ପ୍ରେମୀଙ୍କୁ ରିଷଭଙ୍କର ନିସ୍ତେଜ ଶରୀରକୁ ଦେଖାଇଥିଲେ । ସବୁକିଛି ଦେଖିବା ପରେ ପ୍ରେମିକ ମହୋଦୟ ରିଷଭଙ୍କୁ ଡାକ୍ତରଖାନା ନେବାକୁ ସପ୍ନାଙ୍କୁ ପରାମର୍ଶ ଦେଇଥିଲେ ।