ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକାର ସମୀକ୍ଷା କରିବା ପାଇଁ ବ୍ୟକ୍ତିଗତ ଭାବେ ଦିଲ୍ଲୀରୁ ବାହାରିଛନ୍ତି। ଦେଶର ୩ ପ୍ରମୁଖ ସହରରେ ଏବେ କରୋନା ଟିକାର ଉତ୍ପାଦନ ପାଇଁ ପ୍ରୟାସ ଚାଲିଥିବା ବେଳେ ମୋଦି ସେହି ସବୁ ସ୍ଥାନକୁ ଯାଇ ବୈଜ୍ଞାନିକଙ୍କ ସହ ଟିକାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ।
ଦିଲ୍ଲୀରୁ ବାହାରି ମୋଦି ସିଧା ଗୁଜରାଟର ଅହମଦାବାଦରେ ପହଞ୍ଚିଥିଲେ। ଏଠାରେ ଥିବା ଜାଏଡସ୍ କାଡିଲାର ପ୍ଲାଣ୍ଟରେ ପହଞ୍ଚିଥିଲେ। ଏଠାରେ ସେ ପିପିଇ କିଟ୍ ପିନ୍ଧି ପ୍ଲାଣ୍ଟ ମଧ୍ୟକୁ ଯାଇଥିଲେ। ବିଭିନ୍ନ ସ୍ଥାନ ବୁଲିବା ପରେ ତାଙ୍କୁ ବୈଜ୍ଞାନିକମାନେ ଟିକାର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ଅବଗତ କରାଇଥିଲେ। ମୋଦି କେଉଁ ଭଳି ଭାବେ ଟିକାର ସମୀକ୍ଷା କରିଥିଲେ, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ତେବେ ପ୍ଲାଣ୍ଟଟି ଅହମଦାବାଦ ଠାରୁ ୨୦ କିମି ଦୂର ଚାଙ୍ଗୋଦର ଠାରେ ରହିଛି। ଜାଏଡସ କାଡିଲା ZyCoV-D ନାଁରେ କରୋନା ଟିକା ପ୍ରସ୍ତୁତ କରିଛି। ଏହାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଶେଷ ହୋଇଥିବା ବେଳେ ଅଗଷ୍ଟ ମାସରୁ କମ୍ପାନୀକୁ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିଛି।
ସେହିପରି ଅହମଦାବାଦରୁ ମୋଦି ସିଧା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଯିବେ। ଏଠାରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ଟିକା ପ୍ରସ୍ତୁତ କରାଯାଉଛି। ଏଠାରେ ମୋଦି ଟିକାର ଷ୍ଟାଟସ ସମ୍ପର୍କରେ ଆଲୋଚନା କରିଥିବେ। ଏଥିସହ ଟିକାର ଲଞ୍ଚ, ଉତ୍ପାଦନ ଓ ବିତରଣ ସମ୍ପର୍କରେ ସେ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।ପରିଶେଷରେ ମୋଦି ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ୍କୁ ଯିବେ। ଏଠାରେ ଦେଶର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ କୋଭାକ୍ସିନ ନାଁରେ ଟିକା ତିଆରି କରାଯାଇଛି। ଏଠାରେ ସେ ପହଞ୍ଚିବା ପରେ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବେ।