ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ୨.୨୩ କୋଟିରୁ ଅଧିକ ଧନ ଅଛି । ତାଙ୍କର ଅଧିକାଂଶ ଜମା ବ୍ୟାଙ୍କରେ ଗଚ୍ଛିତ ଅଛି । ଗାନ୍ଧୀନଗରରେ ମୋଦୀଙ୍କର ଜମିଟିଏ ଥିଲା ଯାହାର ମୂଲ୍ୟ ୧.୧ କୋଟି । କିନ୍ତୁ ଉକ୍ତ ଜମିଟିକୁ ମୋଦୀ ଦାନ କରି ଦେଇଛନ୍ତି । ପିଏମ୍ଓଙ୍କ ୱେବ ସାଇଟ୍ରେ ମୋଦୀଙ୍କର ଧନସମ୍ପତ୍ତି ତଥ୍ୟ ପ୍ରକାଶ ପାଇଛି । ସୂଚନା ମୁତାବକ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କର ସମ୍ପତ୍ତି ୨ କୋଟି ୨୩ ଲକ୍ଷ ୫୦୪ ଟଙ୍କା ଥିଲା । ଗତବର୍ଷ ତୁଳନାରେ ତାଙ୍କର ଚଳମାନ ସମ୍ପତ୍ତିରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ କୌଣସି ବଣ୍ଡ, ମ୍ୟୁଚୁଆଲ୍ ଫଣ୍ଡ, ଶେୟାର’ରେ ଟଙ୍କା ଖଟାଇନାହାନ୍ତି । ତାଙ୍କ ପାଖରେ କୌଣସି ଯାନବାହନ ନାହିଁ । ମୋଦୀଙ୍କ ପାଖରେ ଚାରୋଟି ସୁନାମୁଦି ଅଛି ଯାହାର ମୂଲ୍ୟ ୧.୭୩ ଲକ୍ଷ ଟଙ୍କା । ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ପାଖରେ ୧.୧ କୋଟି ଅଚଳ ସମ୍ପତ୍ତି ଥିଲା । ମୋଦୀ ଦାନ କରିଥିବା ଜମିଟିକୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୨ ଅକ୍ଟୋବରରେ କିଣିଥିଲେ । ଉକ୍ତ ଜମି ଉପରେ ଆହୁରି ତିନିଜଣ ଲୋକଙ୍କ ଅଧିକାର ଥିଲା ।