ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ନିଷ୍ଠା, ବିନମ୍ରତା ଏବଂ ନିର୍ଣ୍ଣାୟକ ନେତୃତ୍ୱର ଚିରସ୍ଥାୟୀ ପ୍ରଭାବକୁ ସ୍ମରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଇତିହାସର ମହତ୍ୱପୂର୍ଣ୍ଣ କ୍ଷଣରେ ଭାରତର ରାଷ୍ଟ୍ରୀୟ ଚରିତ୍ରକୁ ରୂପ ଦେବାରେ ଶାସ୍ତ୍ରୀ ଜୀଙ୍କ ମହତ୍ୱପୂର୍ଣ୍ଣ ଭୂମିକାକୁ ଉଲ୍ଲେଖ କରିଛନ୍ତି । ତାଙ୍କ ପ୍ରତିଷ୍ଠିତ ସ୍ଲୋଗାନ ‘ଜୟ ଯବାନ ଜୟ କିଷାନ’ ଆଜି ମଧ୍ୟ ଦେଶର ଯବାନ ଏବଂ କୃଷକଙ୍କ ପ୍ରତି ଭାରତର ପ୍ରତିବଦ୍ଧତାର ଏକ ସଶକ୍ତ ପ୍ରତୀକ ।
ଶ୍ରୀ ମୋଦୀ କହିଛନ୍ତି, ଶ୍ରୀ ଲାଲବାହାଦୂର ଶାସ୍ତ୍ରୀଜୀଙ୍କ ଜୀବନ ଏବଂ ନେତୃତ୍ୱ ଏକ ସଶକ୍ତ ଏବଂ ଆତ୍ମନିର୍ଭର ରାଷ୍ଟ୍ର ନିର୍ମାଣର ସାମୂହିକ ପ୍ରୟାସରେ ଭାରତର ପିଢ଼ିଙ୍କୁ ପ୍ରେରଣା ଦେଇ ଚାଲିଥିବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ସେୟାର କରିଥିବା ଏକ ବାର୍ତ୍ତାରେ କହିଛନ୍ତି;
“ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜୀ ଜଣେ ଅସାଧାରଣ ରାଜନେତା ଥିଲେ, ଯାହାର ନିଷ୍ଠା, ବିନମ୍ରତା ଏବଂ ଦୃଢ଼ ସଂକଳ୍ପ ଆହ୍ୱାନପୂର୍ଣ୍ଣ ସମୟରେ ମଧ୍ୟ ଭାରତକୁ ଦୃଢ଼ କରିଥିଲା । ସେ ଅନୁକରଣୀୟ ନେତୃତ୍ୱ, ଶକ୍ତି ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ଉଦାହରଣ ପ୍ରସ୍ତୁତ କରିଥିଲେ । ତାଙ୍କର ଆହ୍ୱାନ ‘ଜୟ ଯବାନ କିଷାନ’ ଦେଶବାସୀଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲା । ସେ ଆମକୁ ଏକ ମଜବୁତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣର ପ୍ରୟାସରେ ପ୍ରେରଣା ଦେଇଚାଲିଥିବେ ।”