ଚାଷୀଙ୍କୁ ନୂଆ ବଜାର ଓ ଟେକ୍ନୋଲଜି ସହ ଯୋଡ଼ିବ ନୂଆ କୃଷି ଆଇନ୍: ପ୍ରଧାନମନ୍ତ୍ରୀ-shaksi news

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନକୁ ନେଇ ପୁଣିଥରେ ପ୍ରତିକ୍ରିୟା ରଖିଛନ୍ତି। ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀ ଜିଦରେ ଅଟଳ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୩ତମ FICCIର ବାର୍ଷିକ ସମ୍ମିଳନୀରେ ଚାଷୀଙ୍କ ଉଦେଶ୍ୟରେ ସମ୍ବୋଧିତ କରିଛନ୍ତି ।ସେ କହିଛନ୍ତି ନୂଆ କୃଷି ନିୟମ ପରେ ଚାଷୀମାନେ ନୂଆ ବଜାର ପାଇବେ, ନୂଆ ବିକଳ୍ପ ଉପଲବ୍ଧ ହେବ, ଟେକ୍ନୋଲୋଜିର ଲାଭ ପାଇବେ ଚାଷୀ, ଦେଶର ଶୀତଳ ଭଣ୍ଡାର ଭିତ୍ତିଭୂମି ଆଧୁନିକୀକରଣ ହେବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୨୦ରେ ଅନେକ କିଛି ଦେଖିଛୁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଉତଥାନ ପତନ ଦେଖିବାକୁ ମିଳିଛି। ଆଗକୁ ଯେତେବେଳେ ୨୦୨୦ ବାବଦରେ ଆମେ ମନେ ପକାଇବା ସେତେବେଳେ ଏହା ଅନେକ କିଛି ଶିଖିବାକୁ ବାର୍ତ୍ତା ଦେବ। ଭଲ କଥା ହେଉଛି ଯେ ପରିସ୍ଥିତି ଯେତେ ଶୀଘ୍ର ଖରାପ ହୋଇଛି, ତାଠୁ ଶୀଘ୍ର ଆମେ ଉନ୍ନତି କରୁଛୁ।

କରୋନା ମହାମାରୀ ସମୟରେ ଭାରତ ନିଜ ନାଗରିକଙ୍କ ଜୀବନକୁ ଅଧିକ ପ୍ରାଧାନ୍ୟ ଦେଇ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିଥିଲା। ଆଜି ଦେଶ ମଧ୍ୟ ଏହାର ଫଳାଫଳ ଦେଖୁଛି ଏବଂ ବିଶ୍ୱ ମଧ୍ୟ ଏହା ଉପରେ ନଜର ରଖିଛି ବୋଲି ମୋଦି କହିଛନ୍ତି। ଗତ କିଛି ମାସ ମଧ୍ୟରେ ଭାରତ ଯେଉଁ କାର୍ଯ୍ୟ କରିଛି ତାହା ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ସଠିକ୍ ନୀତି ଓ ନିଷ୍ପତ୍ତିର ପରିଣାମ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଭାରତ ସଫଳ ହୋଇଛି ବୋଲି ମୋଦି କହିଛନ୍ତି। ଭାରତ ସରକାର ୧୩୦ କୋଟି ଦେଶବାସୀଙ୍କ ସ୍ୱପ୍ନ ସାକାର ପାଇଁ ଉତ୍ସର୍ଗୀକୃତ। ଯାହା ଦେଶବାସୀଙ୍କୁ ପ୍ରତ୍ୟେକ ସ୍ତରରେ ଆଗକୁ ନେବା ପାଇଁ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।