ନୂଆଦିଲ୍ଲୀ: କଂଗ୍ରେସ ନେତା ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟାକାଣ୍ଡକୁ ପାଂଚମାସ ଟପିଲାଣି । କିନ୍ତୁ ପରିବାରକୁ ନ୍ୟାୟ ଦେବା ବଦଳରେ ପୁଲିସ ପରିବାର ଲୋକଙ୍କୁ ଅଯଥା ହଇରାଣ କରୁଛି । ପୁଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ମାସକ ଭିତରେ ନ୍ୟାୟ ନମିଳିଲେ ଦେଶ ଛାଡ଼ିବାକୁ ଧମକ ଦେଇଛନ୍ତି ସିଦ୍ଧୁଙ୍କ ବାପା ବଲକାର ସିଂହ । ରବିବାର ମୁସେୱାଲାଙ୍କ ପ୍ରଶଂସକମାନଙ୍କ ଆଗରେ ମନର ବ୍ୟଥାକୁ ଜଣାଇବାକୁ ଯାଇ ବଲକାର ସିଂହ କହିଛନ୍ତି, ମୁଁ ସେନାବାହିନୀରେ ରହି ଦେଶ ମା’ର ସେବା କରିଛି ।
ନିରନ୍ତର ନ୍ୟାୟ ମାଗିଚାଲିଛିି; ହେଲେ ମୋତେ ନ୍ୟାୟ ଦେବା ବଦଳରେ ମାନସିକ ଯନ୍ତ୍ରଣା ଦିଆଯାଉଛି । ମୁଁ ଡିଜିପିଙ୍କୁ ଭେଟିବା ପାଇଁ ସମୟ ମାଗିଛି । ନଭେମ୍ବର ୨୫ ପର୍ଯ୍ୟନ୍ତ ଅପେକ୍ଷା କରିବି । ତା’ରି ଭିତରେ ନ୍ୟାୟ ନପାଇଲେ, ଦେଶ ଛାଡ଼ି ପଳାଇବି । ତଦନ୍ତ ଆଳରେ ପୁଲିସ ଝିଅମାନଙ୍କୁ ହଇରାଣ କରୁଛି । ଯେଉଁମାନେ ପରିବାରକୁ ସାନ୍ତ୍ୱନା ଦେବାକୁ ଆସୁଛନ୍ତି; ସେମାନଙ୍କୁ ମଧ୍ୟ ପୁଲିସ ଅଯଥା ହଇରାଣ କରୁଛି ।
ପଞ୍ଜାବୀ ଗାୟକ ଜେନି ଜୋହଲଙ୍କୁ ନୋଟିସ୍ ପଠାଯାଇଛି । ପୁଲିସ ଭୟରେ ବହୁ ହିତାକାଂକ୍ଷୀ ଘରକୁ ଆସୁନାହାନ୍ତି । ବଲକାରଙ୍କ ମତରେ ସିଦ୍ଧୁ ପାଖରେ ଟଙ୍କାର ଅଭାବ ନଥିଲା । ବିଦେଶରେ ତାକୁ ବହୁତ ଅଫର୍ ମିଳୁଥିଲା । କିନ୍ତୁ ସେ କେବେ ଦେଶ ଛାଡ଼ି ଚାଲିଯିବା କଥା ଭାବୁ ନଥିଲା । ଗ୍ରାମାଂଚଳରୁ ଆସି କାମ କଲା । ପଞ୍ଜାବର ନାମକୁ ଶୀର୍ଷରେ ପହଂଚାଇଲା । ମାତ୍ର ଦୁର୍ଭାଗ୍ୟର କଥା, ତା’ର ହତ୍ୟାକାଣ୍ଡକୁ ପୁଲିସ ଗ୍ୟାଙ୍ଗଷ୍ଟରଙ୍କ ଲଢେ଼ଇ ମୋଡ଼ ଦେଉଛି ଯାହା ସଂପୂର୍ଣ୍ଣ ଭୁଲ ।
କେବଳ ପୁଲିସ ପଦାଧିକାରୀ ନୁହନ୍ତି; କିଛି ପ୍ରଶାସନିକ ଅଧିକାରୀ ମଧ୍ୟ ଗ୍ୟାଙ୍ଗଷ୍ଟରଙ୍କ ସହ ମଧୁର ସଂପର୍କ ରଖିଛନ୍ତି । ମୁସେୱାଲାଙ୍କ ବାପା ଦିଲ୍ଲୀ ଓ ପଞ୍ଜାବ ଅଧିକାରୀଙ୍କ ସହିତ ସାକ୍ଷାତ କରିବା ପରେ ମଧ୍ୟ ତଦନ୍ତ ଗତି ଶିଥିଳ ପଡ଼ିଛି । ବଲକାର ପୁଣି କହିଛନ୍ତି ଯେ ତାଙ୍କ ପୁଅର ଲୋକପ୍ରିୟତାକୁ କିଛି ଗାୟକ ସହି ପାରିଲେନି । ତେଣୁ ଷଡ଼ଯନ୍ତ୍ର କରି ମାରିଦେଲେ । ସିଦ୍ଧୁଙ୍କ ହତ୍ୟାକାଣ୍ଡ ପରେ ପଞ୍ଜାବ ପୁଲିସ ଲଗାତର ଭାବେ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରି ଜେଲରେ ପୁରାଉଛି । ମାତ୍ର ପ୍ରକୃତ ହତ୍ୟାକାରୀକୁ ଏ ଯାଏ ଗିରଫ କରୁନି ।