ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ

ଆମେରିକା: ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ନିଜର ମତ ଦେଇ ଆଜି ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ ଜୋ ବାଇଡେନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ଆମେରିକାର ଉତ୍ତର-ପୂର୍ବ ରାଜ୍ୟ ନିଉ ହାମ୍ପସାୟାରର ଡିକ୍ସଭିଲ୍ ନଚ୍ ଏବଂ ମିଲ୍ସଫିଲ୍ଡରେ ପ୍ରଥମ ମତଦାନ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ତେବେ କରୋନା ମାହାମରୀ ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ତାରିଖ ଠାରୁ ଆଗୁଆ ମତଦାନ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟାକୁ ‘ଆର୍ଲି ଭୋଟିଂ’ କୁହାଯାଉଛି । ନିର୍ବାଚନ ଦିବସର ଏକ ଦିନ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ଏହି ଆର୍ଲି ଭୋଟିଂ କରିସାରିଥିବା ଜଣାପିଡିଛି । ସେମାନେ ଇ-ମେଲ ଅଥବା ପୋଷ୍ଟାଲ ବେଲେଟ୍ ମାଧ୍ୟମରେ ମତଦାନ କରିଛନ୍ତି । ଆସନ୍ତା କାଲି ଭୋଟଦାନ ଶେଷ ହେବ ।ସରକାରୀ ଭାବେ ୧୦ ତାରିଖରେ ଫଳା ଫଳ ଘୋଷଣା ହେବାକୁ ଥିବା ବେଳେ ମତଦାନ ପରଦିନ ସାମ୍ଭାବ୍ୟ ଫଳା ଫଳ ଜଣାପଡିବ । ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ ଆମେରିକୀୟ ସଂସଦ କଂଗ୍ରେସରେ ନିର୍ବାଚିତ ପ୍ରତିନିଧିଙ୍କ ଭୋଟ ଗଣତି ଆରମ୍ଭ ହେବ । ସେହିମାସ ୨୦ ତାରିଖରେ ବିଜୟୀ ହୋଇଥିବା ପ୍ରାର୍ଥୀ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ସୂଚନା ମୁତାବକ, ଆମେରିକାରେ ମତଦାନ ପାଇଁ ୫୦ଟି ରାଜ୍ୟରେ ପ୍ରସ୍ତୁତି ହୋଇଛି। ଦେଶର ୪୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ତାଙ୍କ ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ। ତେଣୁ ଟ୍ରମ୍ପ୍‌ ପୁଣି ଥରେ ନିର୍ବାଚିତ ହେବେ ନା ବାଇଡେନ୍‌ ରାଷ୍ଟ୍ରପତି ଚୌକିରେ ବସିବେ ତାହା ଆଜିର ମତଦାନରୁ ଜଣାପଡିବା ।

କରୋନା ମହାମାରୀ ମଧ୍ୟରେ ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କାରଣ କୋଭିଡ୍ ମହାମାରୀ ପାଇଁ ଟ୍ରମ୍ପ୍‌ଙ୍କୁ ଚଳିତଥର ଅଧିକ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। ମହାମାରୀ ପରିଚାଳନା ଏକ ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହୋଇଛି। ମହାମାରୀ ମଧ୍ୟରେ ଆମେରିକୀୟମାନେ ଟ୍ରମ୍ପ୍‌ଙ୍କୁ ପ୍ରତ୍ୟା‌ଖ୍ୟାନ କରିବେ କି ପୁଣିଥରେ ସ୍ବାଗତ କରିବେ ତାହା ଫଳ ପ୍ରକାଶ ପରେ ସ୍ପଷ୍ଟ ହେବ।