ନୂଆଦିଲ୍ଲୀ: ମଂଚ ଉପରେ ଘଂଟାଘଂଟା ଧରି ଅନର୍ଗଳ ବକ୍ତୃତା ଦେବାର ଶକ୍ତିକୁ ଅକ୍ତିଆର କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ‘ମୌନୀବାବା’ ଶବ୍ଦ ବ୍ୟବହାର କରି କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ସଂପୃକ୍ତ ଶବ୍ଦଟିକୁ ଅପମାନିତ କରିଛନ୍ତି ବୋଲି ଏନ୍ୟୁବିସି ନେତା ସୀତାରାମ କହିଛନ୍ତି । ଏକ ପ୍ରେସ ଇସ୍ତାହାରରେ ଏନ୍ୟୁବିସି ନେତା ଉଲ୍ଲେଖ କରିଛନ୍ତି, ‘ମନ୍ କି ବାତ୍’ର କଥା କୁହାଳିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୌନୀବାବା କହି ଖଡ୍ଗେ ତାଙ୍କର ଭାଷାଜ୍ଞାନ ଅଭାବକୁ ପଦାରେ ପକାଇଛନ୍ତି ।
ଜାତୀୟ ଓ ଆନ୍ତର୍ଜାତିକ ମଂଚରେ ଅନର୍ଗଳ ବକ୍ତୃତା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବଢ଼ିଚାଲିଛି । କର୍ମବୀର ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବାକ୍ୟବୀର । ମୋଦୀଙ୍କର କଥା ଓ କାମ ଭିତରେ ଆକାଶ-ପାତାଳ ଫରକ । ଛାଡ଼ନ୍ତୁ, ଆମେ ମୋଦୀଙ୍କୁ ନେଇ କୌଣସି ଆଲୋଚନା କରୁନାହୁଁ । ଆମେ ମୌନୀବାବା ଶବ୍ଦର ଅପବ୍ୟବହାରକୁ ସମାଲୋଚନା କରୁଛୁ ।
ଅଦାନୀ ଗ୍ରୁପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କିଛି ନକହିବାରୁ ଖଡ୍ଗେ ସମ୍ମାନସୂଚକ ଶବ୍ଦ ମୌନୀବାବା ବ୍ୟବହାର କରିଥିଲେ । ମୋଦୀଙ୍କ ପ୍ରତି ମୌନୀବାବା ଶବ୍ଦ ପ୍ରୟୋଗ କରି ଖଡ୍ଗେ ପ୍ରଧାନମନ୍ତ୍ରୀଙ୍କୁ ଗୌରବମୟ ସ୍ଥାନକୁ ନେଇଯାଇଛନ୍ତି । ତଥାପି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଧନଖଡ଼ ସହି ପାରିଲେନି । ପ୍ରଧାନମନ୍ତ୍ରୀ ମୋଦୀ କାଳେ ଅପମାନିତ ଅନୁଭବ କରିଥିବେ ଭାବି କେତେ କଥା କହି ପକାଇଲେ ।
ମୋଦୀଙ୍କୁ ଯଦି ମୌନୀବାବା କୁହାଯିବ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ କ’ଣ କୁହାଯିବା ଉଚିତ୍ ହେବ । ପିଭି ନରସିଂହ ରାଓ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ମୁହଁରୁ ହସ ଟିକିଏ ଦେଖିବା ପାଇଁ ଲୋକମାନେ ଚାତକ ପରି ଅନାଇ ରହିଥାନ୍ତି । ବହୁତ କମ୍ କଥା କୁହନ୍ତି ପିଭି ନରସିଂହ ରାଓ । ବହୁତ ଶୁଣିବା ଓ କମ୍ କହିବା ହେଉଛି ମୌନୀବାବାଙ୍କ ଲକ୍ଷଣ । ଛାତି ତଳେ ଉତପ୍ତ ଲାଭା ପ୍ରବାହିତ ହେଉଥିବ ମାତ୍ର ମୁହଁରେ ନିର୍ବିକାର ଭାବ ହିଁ ମୌନୀବାବାଙ୍କର ଲକ୍ଷଣ । ପିଭି ନରସିଂହ ରାଓ ହିଁ ଯଥାର୍ଥରେ ଥିଲେ ଜଣେ ମୌନୀବାବା ।