ବିଚାରପତିଙ୍କୁ ହଳିଆ ମଣୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନବନିଯୁକ୍ତ ନିର୍ବାଚନ କମିଶନର ଗୋୟଲଙ୍କ ନିଯୁକ୍ତି ଫାଇଲ ଲୋଡ଼ିଲେ ସୁପ୍ରିମକୋର୍ଟ….
ନୂଆଦିଲ୍ଲୀ: ମାଙ୍କଡ଼ ହାତରେ ଶାଳଗ୍ରାମ ପଡ଼ିଲେ ସେ ତା’ର ସଦୁପଯୋଗ କରିପାରେନା । ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହେବା ପରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାରେ ସାମାନ୍ୟ ପରିବର୍ତନ ହୋଇନାହିଁ । ପିଲା ବେଳୁ ଆଇନ ସହ ଲୁଚକାଳି ଖେଳି ଆସୁଥିବା ନରେନ୍ଦ୍ର ପ୍ରଧାନମନ୍ତ୍ରୀ ପଦରେ ଥାଇ ସୁପ୍ରିମକୋର୍ଟଙ୍କ ଆଖିରୁ ଖସିଯିବାକୁ ବସିଚନ୍ତି । ସରକାରୀ ବ୍ୟବସ୍ଥାରେ ସଂସ୍କାର କରିବା ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯାବତୀୟ ବେଆଇନ ରାସ୍ତା ଆଦରିଛନ୍ତି ।
ବିଜେପି ଅନୁଗତ ଭାବେ ନିଜକୁ ବୋଲାଇ ଆସୁଥିବା ଜଣେ କାର୍ଯ୍ୟରତ ପ୍ରଶାସନିକ ସଚିବଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଅନାବଶ୍ୟକ ଅନୁକମ୍ପା ପ୍ରଦର୍ଶନ କରି ତାଙ୍କୁ ଦେଶର ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି ଯାହାକୁ କେନ୍ଦ୍ର କରି ମାନ୍ୟବର ସୁପ୍ରିମକୋର୍ଟ ଏବେ କେନ୍ଦ୍ର ସରକାରଙ୍କଠାରୁ ନିଯୁକ୍ତି ଫାଇଲ ଲୋଡ଼ିଛନ୍ତି । ବିଲେଇ ଆଖିବୁଜି କ୍ଷିର ପିଇଲା ବେଳେ ଭାବେ ତା’ର କ୍ଷିର ପିଇବା ଦୃଶ୍ୟ କେହି ଦେଖୁନାହାନ୍ତି । ମାତ୍ର ନରେନ୍ଦ୍ର ମୋଦୀଙ୍କ ତ୍ରୁଟିପୂର୍ଣ୍ଣ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟା ଅନେକଙ୍କ ଦୃଷ୍ଟିରେ ପଡ଼ିସାରିଛି ।
ପଞ୍ଜାବ କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ ନୀତି ଗ୍ରହଣ କରାଯାଇଛି ନା ନାହିଁ ତାହାର ସତ୍ୟତା ଜାଣିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଗୋୟଲଙ୍କ ନିଯୁକ୍ତି ଫାଇଲ ମାଗିଛନ୍ତି । ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏକ ପିଟିସନକୁ ଆଧାର କରି ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଦିନ ଅରୁଣ ଗୋୟଲଙ୍କ ଫାଇଲ ଦେଖିବାକୁ ଚାହିଁଛନ୍ତି ।
ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯିବାର ନିୟମ ଚାଲି ଆସୁଛି । ମାତ୍ର ଅରୁଣ ଗୋୟଲଙ୍କ କ୍ଷେତ୍ରରେ ନିୟମ ଉଲ୍ଲଙ୍ଘନ କରାଯାଇଛି । ଅରୁଣ କେନ୍ଦ୍ର ସରକାରଙ୍କ ଅଧିନରେ ଜଣେ ପ୍ରଶାସନିକ ସଚିବ ଭାବେ କାମ କରୁଥିଲା ବେଳେ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା ୨୦୨୧ ନଭେମ୍ବରରେ ।
ଗତ ଗୁରୁବାର ଖଣ୍ଡପୀଠରେ ମାମଲାର ଶୁଣାଣି ଚାଲିଥିବାର ସୂଚନା ପାଇ ଅରୁଣ ଶୁକ୍ରବାର ସ୍ୱେଚ୍ଛାକୃତ ଅବସର ନେଲେ । ତାଙ୍କର ନୂତନ ନିଯୁକ୍ତି ପତ୍ର ଶନିବାର ଅବା ରବିବାର ଜାରି କରାଗଲା । ଅରୁଣ ଗୋୟଲ ତରବରିଆ ଭାବେ ସୋମବାର ନୂତନ କାର୍ଯ୍ୟରେ ଯୋଗ ଦେଲେ । ଗତ ମେ’ ମାସରୁ ନିର୍ବାଚନ କମିଶନର ପଦବୀ ଖାଲିପଡ଼ିଥିଲେ ମଧ୍ୟ କୌଣସି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ଉକ୍ତ ପଦବୀରେ ଅବସ୍ଥାପିତ କରାଗଲାନି । ସରକାର ଅରୁଣ ଗୋୟଲଙ୍କ ଉପରେ ଅଧିକ ମେହେରବାନ ଦେଖାଇ ତାଙ୍କର ସ୍ୱେଚ୍ଛାକୃତ ଅବସରକୁ ଅପେକ୍ଷା କରିଥିଲେ ।
ଅରୁଣ ଗୋୟଲଙ୍କ ସ୍ୱେଚ୍ଛାକୃତ ଅବସରକୁ ହଠାତ ମଞ୍ଜୁର କରି ସରକାର ଆଉ ଗୋଟିଏ ଭୁଲ କରିବସିଲେ । ସ୍ୱେଚ୍ଛାକୃତ ଅବସର ପାଇଁ ଆଗ୍ରହ ପ୍ରକାଶ କରୁଥିବା ଅଧିକାରୀଙ୍କୁ ତିନିମାସିଆ ନୋଟିସ୍ ଜାରି କରି ସରକାର କୈଫିୟତ ତଲବ କରିଥାନ୍ତି । ମାତ୍ର ଅରୁଣ ଗୋୟଲଙ୍କ କ୍ଷେତ୍ରରେ ସରକାର ସେପରି ପଦକ୍ଷେପ ଗ୍ରହଣ କରିନାହାନ୍ତି ।