‘ଅପରେସନ୍ ସିନ୍ଦୁର’ ଅଭିଯାନକୁ ହଠାତ୍ ବନ୍ଦ କରି ଦିଆଯିବା ଫଳରେ ଭାରତର ତିନି ସେନାବାହିନୀର ମୁଖ୍ୟମାନେ ଜିଭ କାମୁଡ଼ି ରହିବାକୁ ବାଧ୍ୟ ହୋଇଛନ୍ତି । ବାଘ ମୁହଁରୁ ଆହାର ଛଡ଼ାଇ ନେବା ଭଳି ଭାରତର ନୌସେନା ପାକିସ୍ତାନକୁ ତା’ର ଔଦ୍ଧତ୍ୟର ଠିକଣା ଜବାବ ଦେବାକୁ ବସିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଅସ୍ତ୍ର ବିରତି ଘୋଷଣା ନୌସେନା ମୁଖ୍ୟ ଆଡ୍ମିରାଲ ଦିନେଶ ତ୍ରିପାଠୀଙ୍କୁ ତୀବ୍ର ଅସନ୍ତୋଷ କରିଥିଲା ।
ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂ, ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ଆଡ୍ମିରାଲ ଦିନେଶ ତ୍ରିପାଠୀଙ୍କ କାର୍ଯ୍ୟଦକ୍ଷତାର ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ କରି ଆଡ୍ମିରାଲ ଦିନେଶ ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ହମ୍ନେ ଆପ୍କେ ମୁହଁ ସେ ନିୱାଲା ଛିନ୍ ଲିୟା, ଆପ୍କୋ ମୌକା ଫିର ମିଲେଗା । (ଆମେ ଆପଣଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛୁ, ଆପଣଙ୍କୁ ପୁଣି ସୁଯୋଗ ମିଳିବ ।)’ ।
ପ୍ରଧାନମନ୍ତ୍ରୀ ଏପରି ଟିପ୍ପଣୀ କରିବାର ମାନେ ଭାରତୀୟ ନୌସେନା କରାଚୀ ଉପରେ ବ୍ରହ୍ମୋସ୍ ମିଶାଇଲ୍ ପକାଇବାକୁ ତୟାର୍ ଥିଲାବେଳେ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶନାମା ପାଇଥିଲା । ଭାରତର ପଶ୍ଚିମଘାଟରେ ପାକିସ୍ତାନକୁ ମୁହଁତୋଡ୍ ଜବାବ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ତିନି ସେନାବାହିନୀ ଉପରେ କୌଣସି ଲଗାମ କଷି ନଥିଲେ ।
ପାକିସ୍ତାନର ପ୍ରତିରକ୍ଷା ଘାଟି ଉପରେ ଆକ୍ରମଣ କରିବାର ଅଭିଳାଷ ଭାରତର ନଥିଲା । ମାତ୍ର ଭାରତର ଆତଙ୍କୀ ଦମନ ଅଭିଯାନକୁ ବିଫଳ କରିବା ପାଇଁ ପାକିସ୍ତାନ ସେନା ପକ୍ଷରୁ ଉଦ୍ୟମ କରାଯିବାରୁ ତାହା ତୁମୁଳ ଆକାର ଧାରଣ କରିଥିଲା । ଗୁପ୍ତଚର ସଂସ୍ଥା ରିପୋର୍ଟ ଅନୁସାରେ ଭାରତର ଲଗାତର ହମ୍ଲା ଫଳରେ ପାକିସ୍ତାନର ରାଓଲପିଣ୍ଡି ଅନ୍ତର୍ଗତ ଚକଲାଲା ବିମାନ ଘାଟି ଏକପ୍ରକାର ଧ୍ୱଂସ ପାଇଯାଇଛି ।
ବିମାନ ଘାଟିରେ ଥୁଆ ଯାଇଥିବା ଭିଭିଆଇପି ସି-୧୩୦ ହର୍କୁଲେସ୍ ମାଲ୍ ପରିବହନ ବିମାନଟି ନଷ୍ଟ ହୋଇ ଯାଇଥିଲା । ଜାକୋବାବାଦରେ ଦୁଇଟି ଏଫ୍-୧୬ ଫାଇଟର୍ ନଷ୍ଟ ହୋଇଯାଇଥିଲା । ପାକିସ୍ତାନର ଉତରାଂଚଳରେ ଅବସ୍ଥିତ ନୁର ଖାନ୍ ବିମାନ ଘାଟିର କଂଟ୍ରୋଲ ନେଟ୍ୱାର୍କ ନଷ୍ଟ ହୋଇ ଯାଇଥିଲା।
ଭାରତ-ପାକ୍ ସୀମା ନିୟନ୍ତ୍ରଣ ରେଖା ନିକଟରେ ଠିଆ ହୋଇଥିବା ଭାରତର ଏମ୍-୭୭୭ କମାଣରୁ ଲଗାତର ଗୋଳାମାଡ଼ କରାଯିବା ଫଳରେ ପାକିସ୍ତାନ ସେନାବାହିନୀ ଏକପ୍ରକାର ଛତ୍ରଭଙ୍ଗ ଦେଇଥିଲା । ଭାରତର ତିନି ସେନାବାହିନୀ ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କରିବାକୁ ବାଧ୍ୟ ହୋଇଥିଲା ।