କୈଦୀଙ୍କ ଖଲାସ ଦାବି: ବିକ୍ଷୋଭକାରୀଙ୍କ ମାଡ଼ରେ ଯବାନ ଆହତ

ପୁଲିସର ଲାଠିମାଡ଼ରେ ଜନତାଙ୍କର ଛତ୍ରଭଙ୍ଗ…

ନୂଆଦିଲ୍ଲୀ: ଦଣ୍ଡ ଭୋଗି ସାରିଥିବା କୈଦୀଙ୍କୁ ଖଲାସ କରିବା ଦାବିରେ ବୁଧବାର ପଞ୍ଜାବ ଓ ଚଣ୍ଡିଗଡ଼ ସୀମା ରଣକ୍ଷେତ୍ର ପାଲଟିଛି । ବିକ୍ଷୋଭ ପ୍ରଦର୍ଶନକାରୀ ଓ ପୁଲିସଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଯାଇଛି । ଆନ୍ଦୋଳନ ପ୍ରଦର୍ଶନକାରୀ ଚଣ୍ଡିଗଡ଼ରେ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ବ୍ୟାରିକେଡ୍‌ ବନ୍ଦ କରି ପଥ ଓଗାଳିଥିଲା । ଉତ୍ୟକ୍ତ ଲୋକମାନେ ପୁଲିସ ଉପରକୁ ଢେଲାମାଡ଼ କରିଥିଲା ।

ଶତାଧିକ ଲୋକ ଖଣ୍ଡା ଓ ଲୁହାରଡ୍‌ ଧରି ଗୋଡ଼ାଇବାରୁ ପୁଲିସ ବାଧ୍ୟ ହୋଇ ଲାଠିମାଡ଼ ଓ ପାଣିମାଡ଼ କରିଥିଲା । ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଖଣ୍ଡା ଓ ଲୁହାରଡ୍‌ ମାଡ଼ରେ କିଛି ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଛି । ପୁଲିସ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରିଛି । ସ୍ଥିତି ଅଣାୟତ ହେବାରୁ ବରିଷ୍ଠ ପୁଲିସମାନେ ଘଟଣାସ୍ଥଳରେ ପହଂଚିଥିଲେ । ଚଣ୍ଡିଗଡ଼ରେ ଧାରା ୧୪୪ ଜାରି କରାଯାଇଛି ।

ଆନ୍ଦୋଳନକାରୀଙ୍କ ଭିତରେ କିଛି ନିହଙ୍ଗ ଗୋଷ୍ଠୀର ଲୋକମାନେ ଥିଲେ । ସେମାନେ ଘୋଡ଼ା ଚଢ଼ି ହାତରେ ଖଣ୍ଡା ଧରି ପୁଲିସକୁ ଗୋଡ଼ାଉ ଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ପୁଲିସକୁ ଉସୁକାଇବାରୁ ପାଣିମାଡ଼ ଓ ଲାଠିମାଡ଼ କରାଯାଇଥିଲା ବୋଲି ଚଣ୍ଡିଗଡ଼ ଡିଜିପି କହିଛନ୍ତି ।