ଓ୍ବାସିଂଟନ : ତାଇଓ୍ବାନକୁ ଆମେରିକାର ସାହାଯ୍ୟ। ବଢ଼ୁଛି ତାଇଓ୍ବାନର ସାମରିକ ସମାର୍ଥ୍ୟ। ଏପଟେ ଚୀନର ବାରମ୍ବାର ବିରୋଧ ପରେ ମଧ୍ୟ ଆମେରିକା ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ସହାୟତା କରୁଛି । ନିକଟରେ ଆମେରିକା ୨୩୭ କୋଟି ଡଲାରର ମିସାଇଲ ପଠାଇବା ପାଇଁ ସହମତି ପ୍ରକାଶ କରିବାକୁ ନେଇ ଚୀନ ବିରୋଧ କରିଥିଲା। ଏବେ ପୁଣି ଥରେ ଆମେରିକା ୬୦ କୋଟି ଡଲାରର ସଶସ୍ତ୍ର ଡ୍ରୋନ୍ ତାଇଓ୍ବାନକୁ ବିକ୍ରି କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।
ରିମୋଟ ଦ୍ବାରା ଚାଳିତ ସଶସ୍ତ୍ର ଡ୍ରୋନ୍ ସମେତ ଅନ୍ୟ ଉପକରଣ ତାଇଓ୍ବାନକୁ ପଠାଇବା ପାଇଁ ସରକାର ଅନୁମତି ଦେଇଥିବା ଆମେରିକା ବୈଦେଶିକ ବିଭାଗ ଏକ ବିଜ୍ଞପ୍ତିରେ ଦର୍ଶାଇଛି। ଏହି ସବୁ ଉପକରଣ ମିଳିବା ପରେ ତାଇଓ୍ବାନରେ ସୁରକ୍ଷା, ସୈନ୍ୟ ସନ୍ତୁଳନ ଓ ରାଜନୈତିକ ସ୍ଥିରତା ପାଇଁ ବଳ ମିଳିବ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ପୂର୍ବରୁ ୨୩୭ କୋଟି ଡଲାରର ମିସାଇଲ୍ ଆମେରିକା ପଠାଇବାକୁ ନେଇ ଚୀନ ବିରୋଧ କରିବା ସହ ଯୁଦ୍ଧାସ୍ତ୍ର ପଠାଉଥିବା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲା। ତାଇଓ୍ବାନକୁ ନିଜର ଅଲଗା ହୋଇଥିବା ପ୍ରାନ୍ତ ବୋଲି କହି ଏହା ଉପରେ ଅଧିକାର ସାବ୍ୟସ୍ତ କାରୁଛି ଚୀନ। କିନ୍ତୁ ତାଇଓ୍ବାନ ନିଜକୁ ଏକ ସ୍ବତନ୍ତ୍ର ଦେଶ ବୋଲି ଦାବି କରିଆସୁଛି। ବିଭିନ୍ନ ପ୍ରସଙ୍ଗ ସହ ତାଇଓ୍ବାନକୁ ଯୁଦ୍ଧାସ୍ତ୍ର ସପ୍ଲାଏ କରିବା ମାମଲାରେ ଚୀନ ଓ ଆମେରିକା ମଧ୍ୟରେ ଅସନ୍ତୋଷ ଲାଗିରହିଛି।