ବିଶ୍ୱ ଅର୍ଥନୀତି ପ୍ରଭାବିତ ପାଇଁ ପୁଟିନ ଦାୟୀ: ବାଇଡେନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଏହି ଯୁଦ୍ଧକୁ ଏକ ମାସରୁ ଅଧିକ ଦିନ ହେବ ଚାଲିଛି । ରୁଷ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ଅନେକ ଧନଜୀବନ କ୍ଷତି ହେଲାଣି । ଏହାର ମଧ୍ୟରେ ୟୁକ୍ରେନ ମଧ୍ୟ ରୁଷକୁ କଡା ଜବାବ ଦେଉଛି । ୟୁକ୍ରେନ ଏଇ ନିକଟରେ ରୁଷର ଏକ ତୈଳ ଡିପୋରେ ଏୟାର ଷ୍ଟ୍ରାଇକ କରିଥିଲା । ଅନ୍ୟପକ୍ଷରେ ରୁଷ ପକ୍ଷରୁ ୟୁକ୍ରେନର ଅନେକ ସହର ଦଖଲ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ଏବେସୁଦ୍ଧା ସଫଳ ହୋଇନାହିଁ । ସେହିପରି ଉଭୟଙ୍କ ଯୁଦ୍ଧ ଲାଗି ବିଶ୍ୱ ଅର୍ଥନୀତି ଜୋରସୋର ପ୍ରଭାବିତ ହୋଇଛି ।

ଅନ୍ୟପକ୍ଷରେ ବହୁ ଦେଶରେ ଗ୍ୟାସ ଓ ଖାଦ୍ୟ ସାମଗ୍ରୀ ଦରଦାମ ଅହେତୁକ ବଢିଚାଲିଛି । ଏହି ଦରବୃଦ୍ଧିକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ପ୍ରତିକ୍ରିୟା ଦେଇଛନ୍ତି । ଆମରେିକା ରାଷ୍ଟ୍ରପତି ଏକ ଟ୍ୱିଟ କରି ଲେଖିଛନ୍ତି ଯେ ବିଶ୍ୱରେ ଦରଦାମ ବୃଦ୍ଧି ପାଇଁ କେବଳ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦାୟୀ । ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଯୋଗୁ ବିଶ୍ୱରେ ଗ୍ୟାସ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଇଣ୍ଟରନ୍ୟାସନାଲ ମନିଟାରିଫଣ୍ଡର ନୂତନ ମୁଖ୍ୟ ଅର୍ଥନୀତିଜ୍ଞ କହିଛନ୍ତି ଯେ, ରୁଷ-ୟୁକ୍ରେନ ଆକ୍ରମଣ ବିଶ୍ୱ ଅର୍ଥନୀତିକୁ ଏଭଳି ଶକ୍ତ ଧକ୍କା ଦେଇଛି ଯାହା ଯୋଜନା ପ୍ରଣେତାଙ୍କ ପାଇଁ ଆଗକୁ ବଡ ଚାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି । କାରଣ ବିଶ୍ୱରେ ଅଭିବୃଦ୍ଧିକୁ ସହିତ ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ ।