ଟ୍ରମ୍ପଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ପୁଟିନ

ଟ୍ରମ୍ପଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ପୁଟିନ । ଗତ ସପ୍ତାହରେ ରୁଷିଆ ୟୁକ୍ରେନ ଉପରେ ସର୍ବାଧିକ ମିଶାଇଲ ମାଡ଼ କରି ୧୩ ଜଣ ଲୋକଙ୍କୁ ମାରି ଦେଇଛି । ରୁଷିଆର ଏପରି ହମ୍‌ଲାକୁ ତୀବ୍ର ସମାଲୋଚନା କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ରୁଷିଆ ନିଅାଁ ସହିତ ଖେଳୁଛି । ପରିଣାମ ଭୟଙ୍କର ହେବ । ତହୁଁ ରୁଷିଆ ରାଷ୍ଟ୍ରପତି ପୁଟିନ ପାଲଟା ଧମକ ଦେଇ କହିଛନ୍ତି, ‘ପରିଣାମକୁ ରୁଷିଆ ଭୟ କରେନା ।

ତୃତୀୟ ବିଶ୍ୱଯୁଦ୍ଧକୁ ରୁଷିଆ ଖୁସିର ସହିତ ସ୍ୱାଗତ କରିବ ।

ୟୁକ୍ରେନ-ରୁଷିଆ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ ମନେହୁଏ । ଦ୍ୱିତୀୟ ବାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏସିଡ୍‌ ଟେଷ୍ଟ ଥିଲା ବହୁଚର୍ଚ୍ଚିତ ରୁଷିଆ-ୟୁକ୍ରେନ ଯୁଦ୍ଧ ବିରାମ । ଉକ୍ତ ଯୁଦ୍ଧକୁ କୌଣସି ମତେ ବନ୍ଦ କରି ଟ୍ରମ୍ପ ତାଙ୍କର କୂଟନୈତିକ ବିଚକ୍ଷଣତାକୁ ସାବ୍ୟସ୍ତ କରିବାକୁ ବସିଥିଲେ ।

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହିତ କଥା ହେବା ପରେ କେଜାଣି କାହିଁକି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହ୍ୱାଇଟ୍‌ ହାଉସ୍‌କୁ ଡାକି ଅପମାନିତ କରିଥିଲେ ।

ରୁଷିଆ ସର୍ତାବଳୀକୁ ବିନା ସର୍ତରେ ଗ୍ରହଣ କରିବା ଓ ଯୁଦ୍ଧଖୋର ଆଭିମୁଖ୍ୟ ଛାଡ଼ିବା ପାଇଁ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଏକ ପ୍ରକାର ଚାପ ପକାଇଥିଲେ । ୟୁକ୍ରେନକୁ ଯୁଦ୍ଧ ସରଞ୍ଜାମ ଯୋଗାଣ ବନ୍ଦ କରିବା ସହିତ ଅନ୍ୟ ଦେଶଗୁଡ଼ିକୁ ଅସ୍ତ୍ରଶସ୍ତ୍ର ଗୁଳିଗୋଳା ସହାୟତା ନକରିବାକୁ ପରାମର୍ଶ ଦେଇଥିଲେ ।

ଜିଦଖୋର ରୁଷିଆ ଟ୍ରମ୍ପଙ୍କ ପରାମର୍ଶକୁ ପବନରେ ଉଡ଼ାଇ ଦେଇ ଆମେରିକାର ଶକ୍ତିକୁ ଚାଲେଞ୍ଜ କରିନାହିଁ ତ?