ଦଳକୁ ଫେରିଲେ କ୍ୱିଣ୍ଟନ ଡି’କକ୍‌

ଦୁବାଇ : ଦକ୍ଷିଣ ଆଫ୍ରିକା ଦଳକୁ ଫେରିଛନ୍ତି କ୍ୱିଣ୍ଟନ ଡି’କକ୍‌ । ଟି-୨୦ ବିଶ୍ୱକପର ଅବଶିଷ୍ଟ ମ୍ୟାଚରେ ସେ ଖେଳିବେ । କ୍ୱିଣ୍ଟନ ଡି’କକ୍‌ ନେଇ ଗତ କିଛି ଦିନ ହେଲା ଚାଲିଥିବା ବିବାଦ ସମ୍ପର୍କରେ ସେ ନିଜର ପକ୍ଷ ରଖିଛନ୍ତି । ବର୍ଣ୍ଣବୈଷମ୍ୟ ବିରୋଧୀ ଅଭିଯାନ ବ୍ଲାକ ଲାଇଭ୍ସ ମ୍ୟାଟରକୁ ସମର୍ଥନ କରିବାଲାଗି ବିଶ୍ୱକପ ମ୍ୟାଚ ପୂର୍ବରୁ ବିଭିନ୍ନ ଦଳର ଖେଳାଳିମାନେ ଆଣ୍ଠେଇ ଲୋକମାନଙ୍କୁ ସଚେତନ କରୁଛନ୍ତି । ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ନିଜ ଖେଳାଳିମାନଙ୍କୁ ଆଣ୍ଠେଇବାକୁ କହିଥିଲା । କିନ୍ତୁ ଏହା କରିବାକୁ ଡି’କକ୍‌ ମନା କରିଦେଇଥିଲେ । ଏହାକୁ ନେଇ କ୍ରିକେଟରେ ବିବାଦ ଦେଖାଦେଇଥିଲା । ଏହି ଘଟଣାକୁ ନେଇ ସେ କ୍ଷମା ମାଗିବା ସହ ସେ କହିଛନ୍ତି ଯେ ଯଦି ଆଣ୍ଠେଇବା ଦ୍ୱାରା ଅନ୍ୟମାନେ ସଚେତନ ହେବେ ତେଣୁ ସେ ଆଣ୍ଠେଇବାକୁ ପ୍ରସ୍ତୁତ । ସେ ଆହୁରି କହିଛନ୍ତି ଯେ ତାଙ୍କ ନିଜ ପରିବାରରେ ବି କୃଷ୍ଣକାୟ ସଦସ୍ୟ ଅଛନ୍ତି । ତାଙ୍କ ସାବତ ମା ଓ ଭଉଣୀମାନେ କୃଷ୍ଣକାୟ । ଏଣୁ ସମସ୍ତଙ୍କୁ ସମ୍ମାନ କରିବା ସେ ପିଲାବେଳୁ ଶିଖିଛନ୍ତି ।