ରାଗିଲେ ରାହୁଲ, ବରିଷ୍ଠ ନେତା ଖପ୍ପା

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିଲା କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି) ବୈଠକ। ଆଲୋଚନାର ବିଷୟବସ୍ତୁ ଥିଲା ଦଳର ନୂଆ ମଙ୍ଗୁଆଳ ଚୟନ ବାବଦରେ। ହେଲେ ବୈଠକର ନିଷ୍କର୍ଷ ଅପେକ୍ଷା ରାହୁଲ ଗାନ୍ଧୀଙ୍କ କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସେ ଦଳର ବରିଷ୍ଠ ନେତାଙ୍କର ବିଜେପି ସହ ଲିଙ୍କ୍ ଥିବା ଦର୍ଶାଇ ନୂଆ ତର୍କକୁ ଜନ୍ମ ଦେଇଛନ୍ତି।

ସୁତ୍ର ମୁତାବକ ଭିଡିିଓ କଂଫ୍ରେସିଂ ଜରିଆରେ ଆଜି ସିଡବ୍ଲ୍ୟୁସି ବୈଠକ ଚାଲିଥିବା ବେଳେ ସୋନିଆ ଗାନ୍ଧୀ ଗୁଲାମ ନବୀ ଆାଜାଦଙ୍କୁ ଆଲୋଚନା ଆରମ୍ଭ କରିବା ପାଇଁ କହିଥିଲେ। ଦୁଇ ସପ୍ତାହ ତଳେ ୨୦ରୁ ଉର୍ଦ୍ଧ୍ୱ ନେତା ସୋନିଆଙ୍କୁ ଯେଉଁ ଚିଠି ଲେଖିଥିଲେ ତାକୁ ଉଲ୍ଲେଖ କରି ନୂଆ ମଙ୍ଗୁଆଳ ବାଛନ୍ତୁ ବୋଲି କହିଥିଲେ ସୋନିଆ। ତେବେ ଏହା ଭିତରେ ରାହୁଲ ଗାନ୍ଧୀ ବରିଷ୍ଠ ନେତାଙ୍କ ଉପରେ ବର୍ଷିବା ଆରମ୍ଭ କରିଥିଲେ। ବିଜେପି ଷଡ଼ଯନ୍ତ୍ରରେ ଏହି ଚିଠି ଲେଖାଯାଇଥିବା ସେ ଅଭିଯୋଗ କରିଥିଲେ।

ରାହୁଲଙ୍କ କହିବା କଥା ଚିଠି ଟି ଭୁଲ ସମୟରେ ଲେଖା ହୋଇଥିଲା। ସେ ସମୟରେ ରାଜସ୍ଥାନରେ ସଂକଟ ସ୍ଥିତି ଚାଲିଥିଲା ଏବଂ ସୋନିଆ ଗାନ୍ଧୀ ହସ୍ପିଟାଲରେ ଥିଲେ। କାର୍ଯ୍ୟକାରିଣୀ ବୈଠକରେ ଯେଉଁ ବିଷୟ ଆଲୋଚନା ହେବାକଥା ତାକୁ ମିଡିଆ ସାମ୍ନାକୁ ଆଣି ଚର୍ଚ୍ଚିତ କରାଗଲା।

ଉପସ୍ଥିତ ନେତାଏ ମଧ୍ୟ ରାହୁଲଙ୍କ କଥାର ଜବାବ ରଖିଥିଲେ। ରାଜ୍ୟସଭାରେ ବିରୋଧୀଦଳ ନେତା ଥିବା ଗୁଲାମ ନବୀ ଆଜାଦ କହିଥିଲେ କି ରାହୁଲ ଅଭିଯୋଗକୁ ସତ ପ୍ରମାଣିତ କରି ଦେଖାଇଲେ ସେ ତୁରନ୍ତ ଇସ୍ତଫା ପ୍ରଦାନ କରିବେ। ସେହିଭଳି ଟ୍ୱିଟ୍ କରି ନିଜର ଆକ୍ରୋଶ ରଖିଲେ ବରିଷ୍ଠ ନେତା କପିଲ୍ ଶିବଲ। ବିଗତ ୩୦ ବର୍ଷମଧ୍ୟରେ ସେ ବିଜେପି ସପକ୍ଷରେ କୌଣସି କଥା କହିନାହାନ୍ତି। ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସ ପାଇଁ ଲଢ଼ିକରି ଜିତିଛନ୍ତି। ମଣିପୁରରେ ଦଳପାଇଁ ଡିଫେଣ୍ଡ କରିଛନ୍ତି। ଏହାପରେ ପି ଆମେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହେଲୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ରାହୁଲ ନିଜେ ତାଙ୍କୁ ଫୋନ କରି ଏକଥା କହିନଥିବା ଜଣାଇବା ପରେ କପିଲ ଶିବଲ ତାଙ୍କ ଟୁଇଟ୍କୁ ଡିଲିଟ କରିଛନ୍ତି। ଅନ୍ୟପଟେ ଦଳୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ମଧ୍ୟ ଏନେଇ ସଫେଇ ଦେଇଛନ୍ତି।

ଇତିମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ ନହେବା ଯାଏଁ ସୋନିଆ ଦାୟିତ୍ୱ ତୁଲାନ୍ତୁ ବୋଲି ମନମୋହନ ସିଂ କହିଲେ। ସେ ମଧ୍ୟ ଚିଠି ଲେଖା ଘଟଣାକୁ ସମାଲୋଚନା କରିଛନ୍ତି। ବରିଷ୍ଠ ନେତା ଏକେ ଆଣ୍ଟୋନୀ, ଅଶୋକ ଗେହଲଟ, କମଳ ନାଥ ମଧ୍ୟ ଗାନ୍ଧୀ ପରିବାର ପ୍ରତି ନିଜର ସମର୍ଥନ ରଖିଲେ। ଶେଷରେ ପ୍ରାୟ ୭ ଘଣ୍ଟାର କସରତ ପରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ସୋନିଆ ହିଁ ଦଳର ସଭାପତି ରହିବା ନେଇ ନିଷ୍ପତ୍ତି ହୋଇଛି।