ସଂସଦରେ ଉପହାସର ପାତ୍ର ‘ରାହୁଲ’

ପଶ୍ଚିମ ଏସିଆ ସଙ୍କଟ ଉପରେ ବୁଧବାର …

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଙ୍କଟ ଉପରେ ବୁଧବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିକୁ ନେଇ ଶିବସେନା ନେତ୍ରୀ ମନୀଷା କାୟାଣ୍ଡେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ କ୍ଷମତା ଉପରେ ପ୍ରଶ୍ନ ଉଠାଇବା ସହ ସେ ଏବେ ସଂସଦ ଭିତରେ ଓ ବାହାରେ ଏକ “ମଜାକ’ ପାଲଟିଛନ୍ତି ବୋଲି କାୟାଣ୍ଡେ କହିଛନ୍ତି।

ଏଥିସହିତ ସମାନ ନାଗରିକ ସଂହିତା (ୟୁସିସି) ପ୍ରସଙ୍ଗରେ ଦଳର ସ୍ପଷ୍ଟ ମତ ରଖି ସେ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଓ ରାମ ମନ୍ଦିର ନିର୍ମାଣ ପରେ ଏବେ ଦେଶ ତଥା ମହାରାଷ୍ଟ୍ରରେ ୟୁସିସି ଲାଗୁ କରିବା ସମୟର ଆବଶ୍ୟକତା ଏବଂ ଏହି ପ୍ରସଙ୍ଗରେ ଶିବସେନା ସମ୍ପୂର୍ଣ୍ଣ ଭାବେ ବିଜେପି ସହ ଛିଡ଼ା ହୋଇଛି। ବୈଠକରେ ରାହୁଲଙ୍କ ଅନୁପସ୍ଥିତିକୁ ଦାୟିତ୍ୱହୀନ ରାଜନୈତିକ ମନୋଭାବ ଦର୍ଶାଇ କାୟାଣ୍ଡେ କହିଛନ୍ତି ଯେ ବିଶ୍ୱସ୍ତରୀୟ ସମ୍ବେଦନଶୀଳ ମୁହୂର୍ତରେ ବିରୋଧୀ ଦଳର ନେତା ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସେ ଏହାକୁ ଗମ୍ଭୀରତାର ସହ ନେଉନାହାନ୍ତି।

ରାହୁଲ କେତେବେଳେ ବିଦେଶ ଉଡ଼ିଯିବେ ତାହାର କୌଣସି ନିଶ୍ଚିତତା ନାହିଁ ଏବଂ ସେ ସବୁବେଳେ ତଥ୍ୟହୀନ କଥା କହି ନିଜ ବକ୍ତବ୍ୟକୁ ହାଲୁକା କରି ଦେଉଛନ୍ତି। ଏହି କାରଣରୁ କଂଗ୍ରେସ ଏବେ ବିରୋଧୀ ଦଳ ନେତା ପରିବର୍ତନ ବିଷୟରେ ବିଚାର କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ୟୁସିସି ସମ୍ପର୍କରେ ସେ ମନେ ପକାଇ ଦେଇଛନ୍ତି ଯେ ବାଲାସାହେବ ଠାକରେଙ୍କ ସମୟରୁ ହିଁ ଶିବସେନା ଏହାକୁ ସମର୍ଥନ କରିଆସୁଛି ଏବଂ ଏହାକୁ ଯଥାଶୀଘ୍ର କାର୍ୟ୍ୟକାରୀ କରାଯିବା ଉଚିତ।