ଠିକିବା ପରେ ମୋଦିଙ୍କଠାରୁ ଅଭିନୟ ଶିଖୁଛନ୍ତି ରାହୁଲ

ରାଜନୀତି ଖେଳଘର ନୁହେଁ, ଏକଥା ରାହୁଲ ଚେତିଲା ବେଳକୁ ହାତରୁ କ୍ଷମତା ଚାଲିଗଲାଣି । ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଣ୍ଢାଇବା ପରେ ଆଖିମିଟିକା ମାରିବାର ପରିଣାମ ଭୋଗୁଛନ୍ତି ରାହୁଲ । ନିର୍ବାଚନରେ ମୋଦି ସାଙ୍ଗିଆକୁ ଅପମାନିତ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହେବାପରେ ଏବେ ମାଟି ସହିତ ଯୁଝୁଥିବା ଲୋକଙ୍କ ନିକଟକୁ ଯାଇ ହାନିଲାଭ ବୁଝୁଛନ୍ତି । ଖାଲି ସେତିକି ନୁହେଁ, ସେମାନଙ୍କ କାମରେ ହାତ ଲଗାଇ ନିଜକୁ ମାଟିର ମଣିଷ ବୋଲି ଦେଖାଇବାକୁ ଚାହୁଁଛନ୍ତି । ରାହୁଲଙ୍କର ଏତେସବୁ ନାଟକ ଯେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ, ଏକଥା ଲୋକମାନେ ଜାଣି ସାରିଲେଣି ।

ଖବରକାଗଜରୁ ଜଣାପଡ଼ିଛି, ରାହୁଲ ଦିଲ୍ଲୀରୁ ସିମଲା ବାଟରେ ହରିଆଣାର ସୋନିପତ ଅଂଚଳରେ ଚାଷୀଙ୍କୁ ଦେଖି ଗାଡ଼ି ଅଟକାଇଥିଲେ । କ୍ଷେତରେ କାମ କରୁଥିବା ଚାଷୀଙ୍କ ସହ କଥା ହୋଇଥିଲେ । ଟ୍ରାକ୍ଟରରେ ଜମି ବେଉଷଣ ଓ ତଳି ରୋଇବା କାମ କରିଥିଲେ । ବଡ଼ବଡ଼ ରାଜନେତାଙ୍କର ଏଭଳି ଛୋଟଛୋଟ ଅଭିନୟ ଲୋକପ୍ରିୟ ତାରକାଙ୍କ ପରଦା ଉପର ଅଭିନୟ ସହିତ ଖାପ ଖାଇଯାଏ । ସାଧାରଣ ଭୋଟର ଆଉ ବୋକା ହୋଇ ରହିନାହାନ୍ତି । ସେମାନେ ଜାଣିସାରିଲେଣି କ୍ଷମତା ଉପଭୋଗ ପାଇଁ ରାଜନେତାମାନେ ଯେକୌଣସି ଅଭିନୟ କରିପାରନ୍ତି । ସେ ଅଭିନୟ ଆଉ ବିଶ୍ୱାସଯୋଗ୍ୟ ନୁହେଁ ।

ରାହୁଲ ଯେତେ ଅଭିନୟ କଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କକ୍ଷରେ ବସି ଦେଶକୁ ଶାସନ କରିବାର ଆଶା ଆଉ ସଫଳ ହେବନି । କିଛି ଗାନ୍ଧୀ-ନେହରୁ ଅନୁଗତ ତାଙ୍କୁ କଂଗ୍ରେସର ରାଜକୁମାର ଭାବେ ଉପସ୍ଥାପନ କରି ତାଙ୍କ ଗୋଡ଼କୁ ଏଭଳି ଚୋଟ ମାରିଛନ୍ତି ଯାହା ତାଙ୍କର ରାଜନୈତିକ ଜୀବନକୁ ତଳିତଳାନ୍ତ କରିଦେଇଛି ।

ଗୋଟିଏ ଭାରତ ଯୋଡେ଼ା କ’ଣ, ଶହେଟି ଭାରତ ଯୋଡେ଼ା ଯାତ୍ରା ରାହୁଲଙ୍କୁ ଭାରତବ୍ୟାପୀ ଲୋକପ୍ରିୟ କରିପାରିବନି । ରାଜନୀତିର ପ୍ରଥମ ସୋପାନରେ ରାହୁଲ ଏଭଳି କିଛି କାରନାମା କରିଛନ୍ତି ଯାହା ତାଙ୍କର ରାଜନୀତି କ୍ୟାରିୟରକୁ କଳଙ୍କିତ କରିଛି । କେତେବେଳେ ଟ୍ରକରେ ଯାତ୍ରା କରୁଛନ୍ତି ତ କେତେବେଳେ ଟ୍ୟାକ୍ସିରେ ଯାତ୍ରା କରି ଚାଳକଙ୍କ ସହ ଆଳାପ କରୁଛନ୍ତି । ମାତ୍ର ଏସବୁ ଅଭିନୟର ଫଳ ଶୂନ ।