ଉପରକୋର୍ଟକୁ ଯିବେ ରାହୁଲ, ନହେଲେ ସଭ୍ୟପଦ ହରାଇବେ

ସବୁ ରାଜନୀତି ଚାଲ: ମୁଦ୍ରାର ଦୁଇପାଖ ଜେଲ ଓ ଜାମିନ….

ନୂଆଦିଲ୍ଲୀ: ମାନହାନି ମାମଲାରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଦୁଇବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଲେ । ରାୟ ଦେବାର କିଛିଘଂଟା ଭିତରେ ରାହୁଲଙ୍କ ଜାମିନକୁ ମଂଜୁର କରିଦେଲେ କୋର୍ଟ । ରାହୁଲଙ୍କୁ ଜେଲ ଦରଜା ମାଡ଼ିବାକୁ ପଡ଼ିଲାନି । ସବୁକିଛି ଚତୁରେ ଚତୁରେ ହୋଇଗଲା । ରାଜନୀତି ମଇଦାନରେ ଏପରି ମାମଲା ନୂଆ ନୁହେଁ ।

ଦୋଷୀ ସାବ୍ୟସ୍ତ ହେଲାପରେ ରିପ୍ରେଜେଂଟେସନ୍‌ ଅଫ୍‌ ଦି ପିପୁଲ୍ସ ଆକ୍ଟ ୧୯୫୧’ ଆଧାରରେ ରାହୁଲଙ୍କ ସାଂସଦ ପଦବୀ ଚାଲିଯିବ କି? ରାହୁଲଙ୍କ ନିକଟରେ ବିକଳ୍ପ କିଛି ଅଛି କି? ଏଭଳି କିଛି ପ୍ରଶ୍ନ ଆମ ସାମ୍ନାକୁ ଆସିଛି । ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଅନୁଷ୍ଠିତ ଏକ ସମାବେଶରେ ଯୋଗଦାନ କରି ରାହୁଲ ଗାନ୍ଧୀ କହିଥିଲେ, ‘ଚାରିଜଣଙ୍କ ସାଙ୍ଗିଆ ମୋଦୀ ରହିଛି ।

ସବୁ ଚୋରଙ୍କ ସାଙ୍ଗିଆ ମୋଦୀ ଅଛି ହୋଇପାରନ୍ତି ସେ ଲଳିତ ମୋଦୀ, ନିରବ ମୋଦୀ ଅବା ନରେନ୍ଦ୍ର ମୋଦୀ ।’ ରାହୁଲଙ୍କ ଏହି ବୟାନକୁ କେନ୍ଦ୍ର କରି ସୁରତ ପଶ୍ଚିମ ବିଧାୟକ ପୂର୍ଣ୍ଣେଶ ମୋଦୀ ମାନହାନି ମାମଲା ରୁଜୁ କରିଥିଲେ । ପିଟିସନରେ ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ ରାହୁଲ ଗାନ୍ଧୀ ପୁରା ସମାଜକୁ ଚୋର କହିଛନ୍ତି ।
ମାନହାନି ମାମଲାରେ ସର୍ବାଧିକ ଜେଲଦଣ୍ଡ ଦୁଇବର୍ଷ ରହିଛି ।

ସୁରତ କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କୁ ୩୦ ଦିନ ପାଇଁ ଜାମିନ ମିଳିଯାଇଛି । ରାହୁଲ ଗାନ୍ଧୀଙ୍କ ଓକିଲ କହିଛନ୍ତି, ଆଇପିସି ଧାରା ୪୯୯ ଓ ୫୦୦ ଅନୁସାରେ ରାହୁଲଙ୍କୁ ଦୋଷୀ କରାଯାଇଛି । ରାହୁଲଙ୍କୁ ହାଇକୋର୍ଟ ଯିବା ପାଇଁ ସୁଯୋଗ ଦିଆଯାଇଛି ।

କୌଣସି ସାଂସଦ ଅବା ବିଧାୟକଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲେ, ତାଙ୍କର ସଭ୍ୟପଦ ରଦ୍ଦ କରି ଦିଆଯିବା ସହ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ କଟକଣା ଲାଗୁ କରାଯାଏ । ତେବେ ରିପ୍ରେଜେଂଟେସନ୍‌ ଅଫ୍‌ ଦି ପିପୁଲ୍ସ ଆକ୍ଟ ୧୯୫୧ ଧାରା ୮(୪) ଅନୁସାରେ ଦୋଷୀ ସାଂସଦ ଅବା ବିଧାୟକ ତିନିମାସ ଭିତରେ ହାଇକୋର୍ଟ ଅବା ସୁପ୍ରିମକୋର୍ଟରେ ଅପିଲ କଲେ, ତା’ର ବିଚାର ଶେଷ ନହେବା ଯାଏ ସଭ୍ୟପଦ ବଜାୟ ରହିଥାଏ । ଯଦି ତିନିମାସ ଭିତରେ ଦୋଷୀ ସାଂସଦ ଅବା ବିଧାୟକ ହାଇକୋର୍ଟ ଅବା ସୁପ୍ରିମକୋର୍ଟରେ ଅପିଲ ନକରନ୍ତି, ତେବେ ତାଙ୍କର ସଭ୍ୟପଦ ତିନିମାସ ପରେ ରଦ୍ଦ କରି ଦିଆଯାଏ ।