ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳଷ୍ଟେସନରେ କାର୍ଯ୍ୟରତ କୁଲିଙ୍କ ପ୍ରତି ଶୁଭଦୃଷ୍ଟି ପକାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତମାସରେ ରେଳଷ୍ଟେସନରେ ସଂଘଟିତ ଆକସ୍ମିକ ଦଳାଚକଟା ସମୟରେ କୁଲି ଭାଇମାନେ ଜୀବନକୁ ବାଜି ଲଗାଇ କିଛି ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଥିଲେ ।
ବିନା ସ୍ୱାର୍ଥରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ଆସୁଥିବା କୁଲିମାନଙ୍କ ଆର୍ଥିକ ସ୍ଥିତି ଉପରେ ସଦୟ ଦୃଷ୍ଟି ପକାଇବାକୁ ମୋଦି ସରକାରଙ୍କ ନିକଟରେ ସମୟର ଘୋର ଅଭାବ । କୁଲିମାନେ ଏକଜୁଟ ହୋଇ ବେଶ କିଛି ମାସ ଧରି ସେମାନଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ସରକାର ସେମାନଙ୍କ ଅଧିକାର ସଂପର୍କରେ ସଂପୂର୍ଣ୍ଣ ଅବଗତ, ମାତ୍ର ଦାବି ପୂରଣ କରିବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି ।
ରାହୁଲ ତାଙ୍କ ସୋସିଆଲ ମିଡିଆରେ ପ୍ରସାରଣ କରିଥିବା ଏକ ଭିଡିଓରେ କୁଲିଙ୍କ ସହିତ ତାଙ୍କର ଆଳାପର କିୟଦଂଶ ଦେଖିବାକୁ ମିଳିଛି । ଭିଡିଓଟିର ନିମ୍ନ ଭାଗରେ ରାହୁଲ ଏକ ବାରତା ଲେଖିଥିଲେ ଯାହାର ସାରାଂଶ ହେଉଛି, ନୂଆଦିଲ୍ଲୀ ରେଳଷ୍ଟେସନରେ କାର୍ଯ୍ୟରତ କିଛି କୁଲି ଭାଇମାନଙ୍କୁ ଭେଟିଥିଲି । ଦଳାଚକଟା ପରିସ୍ଥିତି ଘଟିବା ଦିନ କିଛି କୁଲି ଭାଇଙ୍କ ବିପନ୍ନଙ୍କ ପ୍ରତି ଅକୁଣ୍ଠ ସହାୟତା ସଂପର୍କରେ ଜାଣିବାକୁ ପାଇଲି । ସରକାର ସେମାନଙ୍କ ଅଧିକାର ପ୍ରତି ବିଚାର କରିବାକୁ ଅନୁରୋଧ କରୁଛି ।