ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ରେଳ ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ବ୍ୟୟବରାଦ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ ଏହା ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରାୟ ୧୩ ଗୁଣ ବୃଦ୍ଧି ପାଇ ୧୦,୫୯୯ କୋଟି ଟଙ୍କାରେ ପହଂଚିଛି। ରାଜ୍ୟସଭାରେ ସାଂସଦ ଶୁଭାଶିଷ ଖୁଂଟିଆଙ୍କ କେତେକ ପ୍ରଶ୍ନର ଉତର ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ଯାତ୍ରୀଭଡ଼ା ଓ ମାଲଭଡ଼ା ବାବଦରେ ରେଳବାଇ ଓଡ଼ିଶାରୁ ପାଉଥିବା ରାଜସ୍ୱ ସଂପର୍କିତ ଏକ ପ୍ରଶ୍ନର ଉତର ରଖି ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବ ରେଳବାଇ ଓ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇ ଜୋନ ଅଧିନରେ ଆସୁଛି। ୨୦୨୪-୨୫ ଆର୍ଥିକ ବର୍ଷରେ ପୂର୍ବତଟ ରେଳବାଇର ରାଜସ୍ୱ ୨୩୭୯୬ କୋଟି ଟଙ୍କା ଥିବାବେଳେ ମୋଟ ଖର୍ଚ୍ଚ ୨୬,୨୫୪ କୋଟି ଟଙ୍କା ଥିଲା।
ସେହିପରି ଦକ୍ଷିଣ-ପୂର୍ବ ରେଳବାଇର ରାଜସ୍ୱ ୧୯,୪୪୮ କୋଟି ଓ ବ୍ୟୟ ୨୬୦୭୬ କୋଟି ଥିଲା। ସେହିପରି ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇର ମୋଟ ଆୟ ୨୦,୯୩୧ କୋଟି ଓ ବ୍ୟୟ ୨୦,୯୪୧ କୋଟି ଟଙ୍କା ଥିଲା। ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାରେ ହାରାହାରି ବାର୍ଷିକ ୫୪ କିଲୋମିଟର ହିସାବରେ ମୋଟ ୨୬୭ କିଲୋମିଟର ନୂଆ ରେଳଟ୍ରାକ୍ ବିଛା ଯାଇଥିବା ବେଳେ ୨୦୧୪-୨୫ ମଧ୍ୟରେ ହାରାହାରି ବାର୍ଷିକ ୧୯୫ କିଲୋମିଟର ସହ ମୋଟ ୨୧୫୦ କିଲୋମିଟର ରେଳଟ୍ରାକ୍ ବିଛାଯାଇଛି। ୧ ଏପ୍ରିଲ୍, ୨୦୨୫ ସୁଦ୍ଧା, ମୋଟ ୪୦୧୦ କିଲୋମିଟର ଲମ୍ବ ଏବଂ ୬୭,୪୯୬ କୋଟି ଟଙ୍କା ମୂଲ୍ୟର ୪୯ଟି ପ୍ରକଳ୍ପ (୧୯ଟି ନୂତନ ଲାଇନ ଏବଂ ୩୦ଟି ଦୋହରୀକରଣ କାର୍ଯ୍ୟ ସହିତ) ମଞ୍ଜୁର କରାଯାଇଛି। ଏଗୁଡ଼ିକ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଓଡ଼ିଶା ରାଜ୍ୟ ମଧ୍ୟରେ ଆସୁଅଛି। ଏଥିମଧ୍ୟରୁ ୧,୪୨୯ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି ଏବଂ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୮,୦୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଓଡ଼ିଶାରେ ସଂପୂର୍ଣ୍ଣ ଓ ନିର୍ମାଣାଧୀନ ପ୍ରକଳ୍ପ: ଓଡ଼ିଶାରେ ନିକଟରେ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକ ହେଲା – ଦୈତାରୀ–ବାଂଶପାଣି ନୂଆ ଲାଇନ ଏବଂ ଜଖପୁରା–ହରିଦାସପୁର ତୃତୀୟ ଲାଇନ (୧୭୯ କି.ମି.), ଝାରସୁଗୁଡା–ସାରଡେଗା ମଧ୍ୟରେ ଏମସିଏଲ୍ ସାଇଡିଂ ନୂଆ ଲାଇନ (୫୩ କି.ମି.), ହରିଦାସପୁର–ପାରାଦୀପ ନୂଆ ଲାଇନ (୮୨ କି.ମି.), ଅନୁଗୁଳ–ସୁକିନ୍ଦା ନୂଆ ଲାଇନ (୧୦୪ କି.ମି.), ଚରମ୍ପା–ଝାରସୁଗୁଡା ତୃତୀୟ ଲାଇନ (୧୫୨ କି.ମି.), ସମ୍ବଲପୁର–ଟିଟିଲାଗଡ଼ ଦୋହରୀକରଣ (୧୮୨ କି.ମି.), ରାଉରକେଲା–ଝାରସୁଗୁଡା ତୃତୀୟ ଲାଇନ (୧୦୧ କି.ମି.), ବାଂଶପାଣି–ଦୈତାରୀ–ଟମକା–ଜଖପୁରା ଦୋହରୀକରଣ (୧୬୪ କି.ମି.), ସମ୍ବଲପୁର–ତାଳଚେର ଦୋହରୀକରଣ (୧୭୪ କି.ମି.), ରାୟପୁର–ଟିଟିଲାଗଡ଼ ଦୋହରୀକରଣ (୨୦୩ କି.ମି.), ଝାରସୁଗୁଡା–ସାରଡେଗା ଦୋହରୀକରଣ (୫୦ କି.ମି.)।
ଖୋର୍ଦ୍ଧାରୋଡ-ବଲାଙ୍ଗୀର ପ୍ରକଳ୍ପ: ଖୋର୍ଦ୍ଧାରୋଡ-ବଲାଙ୍ଗୀର (୩୦୧ କିମି) ନୂଆ ଲାଇନ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୫୦୮୯ କୋଟି ଟଙ୍କା ଥିବାବେଳେ ମାର୍ଚ୍ଚ ୨୦୨୫ ସୁଦ୍ଧା ୪୩୧୧ କୋଟି ଟଙ୍କା ବ୍ୟୟ ହୋଇସାରିଛି ଓ ୨୦୨୫-୨୬ ଆର୍ଥିକ ବର୍ଷରେ ଆଉ ୧୯୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଖୋର୍ଦ୍ଧାରୋଡ-ଦଶପଲ୍ଲା (୧୦୬ କିମି) ଓ ପୁରୁଣାକଟକ-ବଲାଙ୍ଗୀର (୧୨୦ କିମି) କାର୍ଯ୍ୟ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦଶପଲ୍ଲା-ପୁରୁଣାକଟକ (୭୫ କିମି) କାମ ଆରମ୍ଭ ହୋଇଛି।
ବିଦ୍ୟୁତୀକରଣ: ରେଳବାଇରେ ରେଳ ନେଟୱାର୍କର ବିଦ୍ୟୁତୀକରଣ ଏକ ମିଶନ ମୋଡରେ କରାଯାଇଛି। ପ୍ରାୟ ୯୯.୪୫ ପ୍ରତିଶତ ବ୍ରଡ-ଗେଜ୍ ନେଟୱାର୍କର ବିଦ୍ୟୁତୀକରଣ କରାଯାଇଛି।
ଅବଶିଷ୍ଟ ନେଟୱାର୍କରେ ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଓଡ଼ିଶାରେ ଆସୁଥିବା ସବୁ ବ୍ରଡଗେଜ୍ ଲାଇନର ବିଦ୍ୟୁତୀକରଣ ସଂପୂର୍ଣ୍ଣ ହୋଇଛି।
ରୋଡ୍ ଓଭର ବ୍ରିଜ୍ (ଜଙଈ) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (ଜଟଈ): ୧ ଫେବୃଆରୀ, ୨୦୨୬ ସୁଦ୍ଧା, ଓଡିଶା ରାଜ୍ୟରେ ୧୧,୩୦୧ କୋଟି ଟଙ୍କା ବ୍ୟୟରେ ୨୮୭ ଟି ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ମଞ୍ଜୁର କରାଯାଇଛି।
ଏହା ବ୍ୟତୀତ, ୧ ଫେବୃଆରୀ ୨୦୨୬ ସୁଦ୍ଧା, ଭାରତୀୟ ରେଳବାଇରେ, ୧,୧୪,୧୯୬ କୋଟି ଟଙ୍କା ବ୍ୟୟରେ ମୋଟ ୪,୮୦୨ ଟି ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜ୍ ମଞ୍ଜୁର କରାଯାଇଛି। ଏସବୁ ଯୋଜନା ଏବଂ କାର୍ଯ୍ୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ଅଛି। ଏଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ୧୧,୩୦୧ କୋଟି ଟଙ୍କା ବ୍ୟୟ ଅଟକଳରେ ୨୮୭ଟି ଅନ୍ତର୍ଭୁକ୍ତ।