ଜୟପୁର: ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ କରୋନାଭାଇରସରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି। ଏନେଇ ଏକ ବିଧିବଦ୍ଧ ଆଇନ୍ ପ୍ରଣୟନ କରିବାକୁ ଯାଉଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସୋମବାର ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା ପାଇଁ ବିଧାନସଭାରେ ଏକ ବିଲ୍ ଆଣି ଏଥିପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି।
ବତ୍ତର୍ମାନ କୋଭିଡ ଡ୍-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ପ୍ରତିଷେଧକ ଅପେକ୍ଷା ପ୍ରତିରୋଧ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।ତେଣୁ ଏଭଳି ପରିସ୍ଥିତିରେ ମାସ୍କ ହିଁ ଟୀକାର ବିକଳ୍ପ ହୋଇ ପଡ଼ିଥିବା ବେଳେ ଏହି ଆଇନ ପ୍ରଣୟନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲୋଟ୍।
ପ୍ରଥମେ ରାଜସ୍ଥାନରେ ‘ନୋ ମାସ୍କ-ନୋ ଏଣ୍ଟ୍ରି’ର ପ୍ରଚଳନ ପରେ ଏବେ ସରକାର ମାସ୍କ ପରିଧାନ ପାଇଁ ଏହି ନୂତନ ଆଇନ୍ ଆଣିଛନ୍ତି। ଏଥିରେ ମାସ୍କ ପରିଧାନ ସହ ପ୍ରତିଷେଧକ ଟୀକା ଆସିବା ପର୍ଯ୍ୟନ୍ତ ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମର ପାଳନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।