ଇନ୍ଦିରାଜୀଙ୍କୁ ଅପନିନ୍ଦାରୁ ରକ୍ଷା କରିଥିଲେ ରାଜୀବଜୀ

ଆଇଜଲ୍‌ ଉପରେ ବାୟୁସେନା ହମ୍‌ଲାକୁ ୫୭ ବର୍ଷ

ନୂଆଦିଲ୍ଲୀ: ଲୌହମାନବୀ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ସମସ୍ତେ ଜାଣନ୍ତି । ସେଦିନ ଥିଲା ୫ ମାର୍ଚ୍ଚ ୧୯୬୬ । ସ୍ଥାନ ହେଉଛି ଆଜିର ମିଜୋରାମ ରାଜଧାନୀ ଆଇଜଲ । ସକାଳ ପ୍ରାୟ ସାଢେ଼ ୧୧ଟା ସମୟ । ଆକାଶ ମାର୍ଗରୁ ଆଇଜଲ ସହରଟିକୁ ଚାରିପଟୁ ଘେରିଗଲା ବାୟୁସେନାର ଚାରୋଟି ଲଢୁଆ ଜେଟ୍‌ । ଘଟଣା କ’ଣ ସାଧାରଣ ଜନତା ବୁଝିଲା ବେଳକୁ ଆରମ୍ଭ ହୋଇଗଲା ତୁହାକୁ ତୁହା ବୋମାମାଡ଼ । ସେତେବେଳେ ମିଜୋରାମ ଆସାମର ଗୋଟିଏ ଅଂଶ ଭାବେ ବିବେଚିତ ହେଉଥିଲା । ଉକ୍ତ ବୋମାମାଡ଼କୁ ୫୭ ବର୍ଷ ଅତିକ୍ରମ କଲାଣି । ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଭାରତର ବାୟୁସେନା ଆଇଜଲ ଉପରେ ବୋମା ବର୍ଷଣ କରିଥିଲା ।

ଅଧ୍ୟାୟଟି ଆରମ୍ଭ ହୋଇଥିଲା ୧୯୬୦ରେ । ମିଜୋରାମ ବୋଲି ସ୍ୱତନ୍ତ୍ର ରାଜ୍ୟ ନଥିଲା । ଆସାମର ଗୋଟିଏ ଭାଗ ମିଜୋ ହିଲ୍ସ ଥିଲା । ସେହି ବର୍ଷ ଆସାମ ସରକାର ଅସମୀୟା ଭାଷାକୁ ସରକାରୀ ଭାଷା ରୂପେ ସ୍ୱୀକୃତି ପ୍ରଦାନ କଲେ । ଅର୍ଥାତ୍‌ ଅସମୀୟା ଭାଷା ଜାଣି ନଥିବା ଯୁବକ ଓ ଯୁବତୀଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ମିଳିବାର ସମ୍ଭାବନା ନାହିଁ । ଆସାମ ସରକାରଙ୍କ ଏଭଳି ନିଷ୍ପତିକୁ ପ୍ରତିବାଦ କଲେ ମିଜୋବାସୀ ।

ପରିଣାମ ସ୍ୱରୂପ ୧୯୬୧ ଫେବୃଆରୀ ୨୮ ତାରିଖରେ ଗଠନ ହେଲା ମିଜୋ ନ୍ୟାସନାଲ ସାମ୍ମୁଖ୍ୟ (ଏମ୍‌ଏନ୍‌ଏଫ୍‌) । ସଂଗଠନର ଅଗ୍ରଭାଗରେ ଥିଲେ ମିଜୋ ନେତା ଲାଲଡେଙ୍ଗା । ପ୍ରଥମେ ପ୍ରଥମେ ଆନ୍ଦୋଳନ ଓ ପ୍ରତିବାଦ ସଭା ଶାନ୍ତିପୂର୍ଣ୍ଣ ଥିଲା । ଅସମୀୟା ଭାଷା ଲାଗୁ ହେବା କାରଣରୁ ୧୯୬୪ରେ ଆସାମ ରେଜିମେଂଟ ତା’ର ଦ୍ୱିତୀୟ ବାଟାଲିୟନକୁ ସ୍ୱୀକୃତି ଦେଲାନାହିଁ କାରଣ ଉକ୍ତ ରେଜିମେଂଟରେ ଅଧିକାଂଶ ମିଜୋବାସୀ ଥିଲେ । ଯାହାକୁ ନେଇ ମିଜୋବାସୀଙ୍କ ଭିତରେ ଜନ ଅସନ୍ତୋଷ ବୃଦ୍ଧି ପାଇଲା । ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କ୍ରମେ ଉଗ୍ରରୂପ ଧାରଣ କଲା । ଇତିମଧ୍ୟରେ ଆସାମ ବାଟାଲିୟନରୁ ତଡ଼ା ଖାଇଥିବା ମିଜୋ ଯବାନମାନେ ଏମ୍‌ଏନ୍‌ଏଫ୍‌ରେ ଯୋଗ ଦେବା ସହିତ ଗଠନ କଲେ ମିଜୋ ନ୍ୟାସନାଲ ଆର୍ମି ।

ସେତେବେଳେ ବାଂଲାଦେଶର ପୂର୍ବ ପରିଚୟ ପୂର୍ବ ପାକିସ୍ତାନ ଥିଲା । ସୀମାନ୍ତ ଇଲାକା କାରଣରୁ ମିଜୋ ନ୍ୟାସନାଲ ଆର୍ମିକୁ ପୂର୍ବ ପାକିସ୍ତାନ ଓ ଚୀନ ପକ୍ଷରୁ ବହୁ ଅସ୍ତ୍ରଶସ୍ତ୍ର ସହାୟତା ମିଳୁଥିଲା । ୧୯୬୩ରେ ଦେଶଦ୍ରୋହ ଅଭିଯୋଗରେ ଲାଲଡେଙ୍ଗାକୁ ଗିରଫ କରାଗଲା । କୋର୍ଟ ବିଚାର କରି ଲାଲଡେଙ୍ଗାଙ୍କୁ ଖଲାସ କରିଦେଲା । ୧୯୬୫ରେ ପାକିସ୍ତାନ ଭାରତକୁ ଆକ୍ରମଣ କଲା । ଲାଲଡେଙ୍ଗା ତା’ର ସୁଯୋଗ ନେବାକୁ ବସିଲେ । ଏମଏନ୍‌ଏଫ୍‌ ପକ୍ଷରୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ନିକଟକୁ ଏକ ଚରମ ଚିଠା ପଠାଗଲା । ଉକ୍ତ ଚିଠାରେ ଲେଖା ଯାଇଥିଲା- ମିଜୋକୁ ଏକ ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ମାନ୍ୟତା ପ୍ରଦାନ ଅଥବା ଚିର ଶତ୍ରୁ ରୂପେ ବିିବେଚନା, ନିଷ୍ପତି ଭାରତ ସରକାରଙ୍କ ଉପରେ ଛାଡ଼ି ଦିଆଯାଉଛି।

୧୯୬୬ ଜାନୁଆରୀ ୧୧ ତାରିଖରେ ତାସକେଂଟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଦେହାନ୍ତ ଘଟିଲା । ତା’ର ୧୧ ଦିନ ପରେ ଜାନୁଆରୀ ୨୧ ତାରିଖରେ ମିଜୋ ନେତା ଲାଲଡେଙ୍ଗା ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ନିକଟକୁ ଚିଠି ଲେଖି ମିଜୋରାମକୁ ସ୍ୱତନ୍ତ୍ର ଦେଶ ଭାବେ ଗଠନ ପାଇଁ ଆବଶ୍ୟକ ସାହାଯ୍ୟ କରିବାକୁ କହିଲେ । ସୁକର୍ଣ୍ଣୋଙ୍କ ନିକଟକୁ ଲାଲଡେଙ୍ଗା ଚିଠି ଲେଖିବାର ତିନିଦିନ ପରେ ଅର୍ଥାତ୍‌ ଜାନୁଆରୀ ୨୪ ତାରିଖରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେଲେ । ମିଜୋ ବିବାଦକୁ ତୁଟାଇବା ପାଇଁ ବାୟୁସେନା ହମ୍‌ଲା ଛଡ଼ା ଅନ୍ୟ ବାଟ ନଥିଲା । ହାତଗଣତି ମିଜୋ ବିଦ୍ରୋହୀଙ୍କୁ ସାବାଡ୍‌ କରିବା ପାଇଁ ଇନ୍ଦିରା ଗାନ୍ଧୀ ବାୟୁସେନାକୁ ବ୍ୟବହାର କରିଥିବାରୁ ପ୍ରବଳ ସମାଲୋଚନା ଶୁଣିଥିଲେ ।

ଏପରିକି ସେତେବେଳର ବଛାବଛା ଗଣମାଧ୍ୟମ ମଧ୍ୟ ଇନ୍ଦିରାଙ୍କ ବିରୋଧରେ ଲେଖିବାକୁ ପଛାଇ ନଥିଲେ । ପରିସ୍ଥିତିକୁ ସମ୍ଭାଳି ନେବା ପାଇଁ ଇନ୍ଦିରା ଗାନ୍ଧୀ କହିଥିଲେ ଯେ ସେ ବାୟୁସେନାକୁ ବୋମାମାଡ଼ କରିବା ପାଇଁ ଆଦେଶ ଦେଇ ନଥିଲେ । ମାତ୍ର ତାଙ୍କ ସ୍ପଷ୍ଟୀକରଣକୁ କେହି ପରତେ ଗଲେନାହିଁ । ଯାହା ହେଉ, ବହୁ ସଂଘର୍ଷ ଦେଇ ୧୯୮୬ ଜୁନ ୩୦ ତାରିଖରେ ଭାରତ ସରକାର ଓ ମିଜୋ ସଂଗଠନ ଭିତରେ ଶାନ୍ତି ବୁଝାମଣା ହେଲା । ମିଜୋରାମକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରାଗଲା । ଲାଲଡେଙ୍ଗା ମିଜୋରାମର ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ ।