ନୂଆଦିଲ୍ଲୀ: ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା ହେବାପରେ ଆଜି ଉପବାସ କରିଛନ୍ତି ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ। ଏହାଦ୍ୱାରା ବିରୋଧୀ ସଦସ୍ୟ ନିଜର ଆଚରଣ ନେଇ ଅନୁତାପ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଇତିମଧ୍ୟରେ ସେ ଧାରଣାରତ ସଦସ୍ୟଙ୍କ ନିକଟରେ ସକାଳୁ ଚା’ ଧରି ପହଞ୍ଚିବା ଚର୍ଚ୍ଚା ସୃଷ୍ଟି କରିଛି।
୨୦ ତାରିଖ ଦିନ ସଦନରେ କୃଷି ବିଲ୍ ପାରିତ ଲାଗି ବାଚନିକ ଭୋଟ ବ୍ୟବସ୍ଥା ହୋଇଥିଲା। ବିଲ୍ ସହ ଭୋଟ ଗ୍ରହଣର ଏହି ବ୍ୟବସ୍ଥାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ ସଦସ୍ୟ। ଉପାଧ୍ୟକ୍ଷଙ୍କ ଆଗରେ ରୁଲ୍ ବୁକ ଚିରିଥିଲେ ତୃଣମୂଳ ସାଂସଦ ଡେରେକ ଓବ୍ରିନ୍। ପ୍ରବଳ ହଙ୍ଗାମା ସହ ହଟ୍ଟଗୋଳ କରଥିଲେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ କଂଗ୍ରେସ ଓ ବାମ ଦଳ ସଦସ୍ୟ। ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୮ ବିରୋଧୀ ସାଂସଦକୁ ସପ୍ତାହ ପାଇଁ ନିଲମ୍ବନ କରିଛନ୍ତି ଉପରାଷ୍ଟ୍ରପତି।

ଏହି ୮ ଜଣ ନିଲମ୍ବନ ବିରୋଧରେ ସଂସଦ ଆଗରେ ଧାରଣାରେ ବସିଛନ୍ତି। ଆଜି ସେମାନଙ୍କ ପାଇଁ ଘରୁ ଚା’ ଜଳଖିଆ ଧରି ପହଞ୍ଚିଥିଲେ ହରିବଂଶ ନାରାୟଣ ସିଂ। ତାଙ୍କର ଏଭଲି ଆଚରଣକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରୋଧୀ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ଗୃହର ଉପାଧ୍ୟକ୍ଷ ଭାବେ ନୁହେଁ ବରଂ ଜଣେ ସାଥୀ ସାଂସଦ ଭାବେ ହରିବଂଶ ଏପରି କରିଥିବା କହିଛନ୍ତି।
ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘କିଛି ଦିନ ପୂର୍ବରୁ ତାଙ୍କୁ ଆକ୍ରମଣ ଓ ଅପମାନିତ କରିଥିବା ଏବଂ ଏବେ ଧାରଣାରେ ବସିଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବରେ ଚା’ ପିଆଇବା ହରିବଂଶ ଜୀଙ୍କ ନମ୍ର ସ୍ୱଭାବ ଏବଂ ବଡ଼ ହୃଦୟକୁ ଦର୍ଶାଉଛି। ଏହା ତାଙ୍କର ମହାନତା। ମୁଁ ସମସ୍ତ ଭାରତବାସୀଙ୍କ ସହ ମିଶି ହରିବଂଶ ଜୀଙ୍କୁ ଅଭିନନ୍ଦନ ଜଣାଉଛି’।
ପ୍ରଧାନମନ୍ତ୍ରୀ ଏହାମଧ୍ୟ ଲେଖିଛନ୍ତି ଯେ, ‘ବିହାରର ମହାନ ମାଟି ଆମକୁ ଗଣତନ୍ତ୍ରର ମହାନ ମୂଲ୍ୟବୋଧ ଶିଖାଇଛି। ବିହାରରୁ ରାଜ୍ୟସଭା ସାଂସଦ ଥିବା ହରିବଂଶ ଜୀ ସେହି ନୈତିକତା ପ୍ରଦର୍ଶନ କରିବା ଅତ୍ୟନ୍ତ ପ୍ରେରଣା ଦାୟକ ଏବଂ ପ୍ରତ୍ୟକ ଗଣତନ୍ତ୍ର ପ୍ରେମୀଙ୍କୁ ଏହା ଗର୍ବିତ କରିଛି’।
ସୂଚନାଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷଙ୍କ ଆସନ ପ୍ରତି କରାଯାଇଥିବା ଅବମାନନାରେ ବେଶ ମର୍ମାହତ ହୋଇଛନ୍ତି ହରିବଂଶ। ସେ ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁଙ୍କୁ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି। ଯେଉଁଥିରେ ଚମ୍ପାରଣ ଆନ୍ଦୋଳନ, ମହାତ୍ମା ଗାନ୍ଧୀ, ଜୟପ୍ରକାଶ ନାରାୟଣ, ଲୋହିଆ, କରପୁରୀ ଠାକୁର, ଚନ୍ଦ୍ରଶେଖରଙ୍କ କଥା ଉଲ୍ଲେଖ କରିଛନ୍ତି।