ନୂଆଦିଲ୍ଲୀ: ନଭେମ୍ବର ୯ ରେ ୧୧ ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଖାଲି ହେବାକୁ ଥିବା ୧୧ ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ଫଳାଫଳ ମଧ୍ୟ ସମାନ ତାରିଖରେ ପ୍ରକାଶ ପାଇବ। ଉତ୍ତର ପ୍ରଦେଶରେ ୧୦ ଏବଂ ଉତ୍ତରାଖଣ୍ଡର ଜଣେ ରାଜ୍ୟସଭା ସାଂସଦ ନଭେମ୍ୱର ୨୫ରେ ଅବସର ଗ୍ରହଣ କରିବେ।
ରାଜ୍ୟସଭାର ମୋଟ୍ ୨୪୫ ଜଣ ସଦସ୍ୟ ରହିଛନ୍ତି। ସେଥିମଧ୍ୟରୁ ବିଜେପିର ୮୬ ଜଣ ସାଂସଦ ରହିଛନ୍ତି। ରାଜ୍ୟସଭାରେ କୌଣସି ବିଲକୁ ପାସ୍ କରିବା ପାଇଁ ଅତିକମରେ ୧୨୨ ଭୋଟ୍ ଆବଶ୍ୟକ। ଏହାରି ଭିତରେ ଏନଡିଏରେ ଥିବା ଅକାଳୀ ଦଳ ମଧ୍ୟ ସମର୍ଥନ ପ୍ରତ୍ୟାହାର କରି ନେଇଛି। ଏହାପରେ ଏନଡିଏରେ ମୋଟ୍ ୧୦୩ ରହିଛନ୍ତି। ତେବେ ନଭେମ୍ୱର ୧୧ ପରେ ରାଜ୍ୟସଭା ଗଣିତ ଉପରେ ସମସ୍ତଙ୍କ ନଜର ରହିଛି।
ରାଜନୀତିକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ୟୁପିର ୧୦ଟି ଆସନରୁ ବିଜେପି ୯ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ବିଜୟୀ ହେବାର ସମ୍ଭାବନା ଅଧିକ। ୟୁପିରେ ଶାସକ ଦଳ ବିଜେପି ରହିଥିବାରୁ କୌଣସି ଅସୁବିଧା ହେବନି ବୋଲି ଆକଳନ କରାଯାଉଛି। ୟୁପିରେ ବିଜେପି ତିନି ଅବସର ଗ୍ରହଣ କରିବାକୁ ଯାଉଥିବା ତିନି ସାଂସଦ ହାର୍ଦ୍ଦିକ ସିଂ ପୁରୀ, ଅରୁଣ ସିଂ ଏବଂ ନୀରଜ ଶେଖରଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି। ବାକି ଆସନ ପାଇଁ ଦଳ ନୂଆ ନେତାଙ୍କୁ ପ୍ରାର୍ଥୀ କରିପାରେ। ସେହିପରି ସମାଜବାଦୀ ପାର୍ଟି ରାମଗୋପାଳ ଯାଦବଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି।