ଆଜମଙ୍କ ହାତରୁ ଗଲା ରାମପୁର ଆସନ

ଉଭୟଙ୍କୁ ୬ ହଜାର ଲେଖାଏଁ ଜରିମାନା ପୈଠ କରିବାକୁ କୁହାଯାଇଛି…..

ଲକ୍ଷେ୍ନø: ଦଙ୍ଗା ସୃଷ୍ଟିକାରୀ ଭାଷଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ପାଇବା ପରେ ଆଜମ ଖାନଙ୍କ ହାତରୁ ଚାଲିଯାଇଛି ରାମପୁର ଆସନ । ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀ ଆଜମ ଖାନଙ୍କ ବିଧାନସଭା ସଭ୍ୟ ପଦକୁ ଅଯୋଗ୍ୟ ଘୋଷଣା କରିଛନ୍ତି । ତା’ର ଠିକ୍‌ କିଛି ସମୟ ପରେ ୟୁପି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ରାମପୁର ବିଧାନସଭା ଆସନକୁ ଶୂନ୍ୟ ଦର୍ଶାଯାଇଛି ।

ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ତିନିବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଆଜମଙ୍କ ସହିତ ସପା ମହାସଚିବ ନିଶାନ୍ତ ମାନଙ୍କୁ ମଧ୍ୟ ତିନିବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି । ଉଭୟଙ୍କୁ ୬ ହଜାର ଲେଖାଏଁ ଜରିମାନା ପୈଠ କରିବାକୁ କୁହାଯାଇଛି । ଜରିମାନା ଅର୍ଥ ପଇଠ ନକଲେ ଅତିରିକ୍ତ ଏକମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ରହିଛି । ଆଜମଙ୍କ ବିରୋଧରେ ପ୍ରାୟ ୯୩ଟି ମାମଲା ବିଚାରାଧୀନ ରହିଛି ।

ସେଥିରୁ ଗୋଟିକରେ ତାଙ୍କୁ ତିନିବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ମାନ୍ୟବର କୋର୍ଟ ଦଣ୍ଡାଦେଶ ଶୁଣାଇବାର କିଛିକ୍ଷଣ ପରେ ଆଜମଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି ।
୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜମ ବେଶ ଗରମାଗରମ ବୟାନବାଜି କରୁଥିଲେ । ମାତ୍ର କୋର୍ଟରୁ ଦଣ୍ଡାଦେଶ ପାଇବା ପରେ ତାଙ୍କ ମୁହଁରେ ତାଲା ପଡ଼ିଯାଇଛି । ସରକାରଙ୍କ ବିରୋଧରେ କିଛି କହିବା ପାଇଁ ସାହସ ହରାଇଛନ୍ତି ।