ୱାଶିଂଟନ୍: ଆଜକୁ ସାତବର୍ଷ ତଳେ ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା) ପକ୍ଷରୁ ମଙ୍ଗଳକୁ ଯାତ୍ରା କରିଥିଲା କୌତୁହଳ ରୋବଟ୍ ‘ଗେଲ କ୍ରେଟର’ । ମଙ୍ଗଳ ପୃଷ୍ଠରେ ବୁଲିବୁଲି ତଥ୍ୟ ସଂଗ୍ରହ କରିବା ଥିଲା ଗେଲ୍ କ୍ରେଟର’ର ପ୍ରଧାନ କାମ । ସଂପ୍ରତି କ୍ରେଟର ଏକ ଦୁର୍ଲଭ ଖଣିଜ ଠାବ କରିଛି । ଏହି ଦୁର୍ଲଭ ଖଣିଜ ମଙ୍ଗଳ ଗର୍ଭରେ ରହିଥିବାର ଜଣାପଡ଼ିଛି । ବୈଜ୍ଞାନିକମାନେ କହିଛନ୍ତି, ଭୂକମ୍ପ କାରଣରୁ ମଙ୍ଗଳ ଗର୍ଭରୁ ପୃଷ୍ଠକୁ ଆସିଥିବା ତରଳ ଲାଭାରେ ମୂଲ୍ୟବାନ୍ ଖଣିଜ ଚିହ୍ନଟ କରାଯାଇଛି । କ୍ରେଟରରେ ଖଞ୍ଜା ଯାଇଥିବା ଗାତଖୋଳା ମେସିନ୍ ମଙ୍ଗଳ ପୃଷ୍ଠକୁ ଖୋଳି ଏହି ଖଣିଜର ସନ୍ଧାନ ପାଇଛି । ଏହି ଦୁର୍ଲଭ ଖଣିଜର ନାମ ‘ଟ୍ରାଇଡିମାଇଟ୍’ । ପୃଥିବୀରେ କ୍ୱଚିତ୍ ସ୍ଥାନରେ ଟ୍ରାଇଡିମାଇଟ୍ ସନ୍ଧାନ ମିଳିଛି ।
ଲାଲଗ୍ରହରେ ଏହି ଖଣିଜ ସନ୍ଧାନ ପାଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସାଧାରଣତଃ ଉଚ୍ଚ ତାପମାତ୍ରା ଓ କମ୍ ଚାପ ପାଇଲେ ଏଭଳି ଖଣିଜ ସୃଷ୍ଟି ହୋଇଥାଏ ଯାହା ମଙ୍ଗଳରେ ଅସମ୍ଭବ ପ୍ରାୟ । ନାସା’ କହିଛି, ଯେଉଁ ଉଦ୍ଦେଶ୍ୟ ରଖି କୌତୁହଳ ରୋବଟ୍କୁ ମଙ୍ଗଳ ପଠାଇଥିଲୁ, ତାହା ଆଜି ସାକାର ହୋଇଛି । ପୃଥିବୀ ପୃଷ୍ଠରେ ଆମେ ଯେଉଁଠାରେ ଟ୍ରାଇଡିମାଇଟ୍ ଠାବ କରିଛୁ, ତାହା ଭୂକମ୍ପଜନିତ । ମାତ୍ର ମଙ୍ଗଳ ଗ୍ରହରେ ତାହା ମିଳିବା ଆଶ୍ଚର୍ଯ୍ୟ କରିଦେଲା ଭଳି ତଥ୍ୟ । କାରଣ ପ୍ରାୟ ତିନିକୋଟି ବର୍ଷ ତଳେ ମଙ୍ଗଳରେ ଭୂକମ୍ପ ହେଉଥିଲା ଯାହା ଏବେ ମୃତପ୍ରାୟ । ବୈଜ୍ଞାନିକମାନେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତିନିକୋଟି ବର୍ଷ ତଳେ ମଙ୍ଗଳ ପୃଷ୍ଠରେ ଝରଣା ଥିଲା । ଭୂକମ୍ପଜନିତ ଲାଭା ଝରଣାର ଶୀତଳ ପାଣି ସଂସ୍ପର୍ଶରେ ଆସି ଟ୍ରାଇଡିମାଇଟ୍ ଗଠନ କରିଛି ।