କୋଭିଡ-19 ରିଲିଫ ଏବଂ ପରିଚାଳନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରେ ଜିଏସ୍ଟି ହାର ହ୍ରାସ

ନୂଆଦିଲ୍ଲୀ : ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନିସଂ ଜରିଆରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନାଲଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମହାମାରୀ ବ୍ଲାକ ଫଙ୍ଗସ୍‌ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ମେଡିସିନ ଉପରେ ଟିକସ ଲାଗୁ ନ କରିବାକୁ ପରିଷଦରେ ନିଷ୍ପତ୍ତି ହୋଇଛି । ଏହାସହ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ କୋଭିଡ୍‌ ରିଲିଫ୍‌ ଏବଂ କୋଭିଡ ପରିଚାଳନାରେ ବ୍ୟବହୃତ ନିର୍ଦ୍ଦିଷ୍ଟ ବସ୍ତୁ ଉପରୁ ଜିଏସ୍‌ଟି ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ପରିଷଦ ପକ୍ଷରୁ କରୋନା ଔଷଧ, ପଲସ୍‌ ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସିଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଏବେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ । ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ ଆଫାୟାର୍ସ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।