ରିପବ୍ଲିକ୍ ଟିଭି ସଂପାଦକ ଅର୍ଣ୍ଣବ ଗିରଫ

ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ ବୁଧବାର ସକାଳେ ଉଠାଇ ନେଇଛି ମୁମ୍ବାଇ ପୋଲିସ । ଜଣେ ଇଣ୍ଟେରିୟର ଡିଜାଇନର୍ଙ୍କ ଆତ୍ମହତ୍ୟାକୁ ନେଇ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ କରାଯାଇଥିବା ସୂଚନା ମିଳିଛି । ଗୋସ୍ବାମୀଙ୍କୁ ପୋଲିସ୍ ଭ୍ୟାନ୍ ରେ ଜୋରଜବରଦସ୍ତି ବସାଇ ନେଉଥିବା ବେଳର ଦ୍ରୁଶ୍ୟ ରିପବ୍ଲିକ୍ ଟିଭି ପ୍ରସାରଣ ହୋଇଛି। ପରେ ରିପ୍ଲବିକ୍ ଟିଭି ପକ୍ଷରୁ ଆଜି ସକାଳ ୮.୪୨ରେ ଟ୍ୱିଟ କରି ସୂଚନା ଦିଆଯାଇଥିଲା।

ଏହାସହ ଟିଭି ନେଟୱାର୍କ ପକ୍ଷରୁ ଏହା ମଧ୍ୟ ଦାବି ହୋଇଛି ଯେ ଗିରଫ କରିବା ବେଳେ ଗୋସ୍ବାମୀଙ୍କ ଉପରକୁ ମୁମ୍ବାଇ ପୋଲିସ ଆକ୍ରମଣ କରିଛି । ଆଇପିସିର ଧାରା ୩୦୬ ଏବଂ ଧାରା ୩୪ ଅନୁଯାୟୀ ଗିରଫ କରାଯାଇଛି ।

ତେବେ ଆଜି ସକାଳ ସାଢେ ୬ଟାରେ ମୁମ୍ବାଇ ପୋଲିସର ଏକ ୧୦ ଜଣିଆ ଟିମ୍‌ ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ଘର ସମ୍ମୁଖରେ ପହଞ୍ଚି ଥିଲେ। ସେଠାରେ ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରି ଦେଇଥିଲେ। ତାପରେ କୌଣସି ନୋଟିସ, ସମନ, କିମ୍ବା କୋର୍ଟ ଅର୍ଡର ନ ଦେଖାଇ ମୁମ୍ବାଇ ପୋଲିସ ତାଙ୍କ ଘରେ ପଶି ତାଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ଏଥିସହିତ ତାଙ୍କୁ ପରିବାର ଲୋକଙ୍କ ସହ ମିଶିବାକୁ ଦିଆଯାଇନଥିବା ବେଳେ ଔଷଧ ଖାଇବାକୁ ଦିଆଯାଇ ନଥିଲା। ଖାଲି ସେତିକି ନୁହେଁ ମାଡ଼ ମରାଯାଇଥିବା ମଧ୍ଯ ଅଭିଯୋଗ କହି଼ଛନ୍ତି ଅର୍ଣ୍ଣବ ।

ସୂଚନା ଯେ, ୨୦୧୮, ମେ ମାସରେ ଇଣ୍ଟେରିୟର ଡିଜାଇନର୍ ଅନଭାଇ ନାୟକ ଏବଂ ତାଙ୍କ ମା’ଙ୍କ ଆତ୍ମହତ୍ୟାକୁ ନେଇ ଅଭିଯୋଗରେ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କୁ ଆଲିବାଗ ପୋଲିସ ଗିରଫ କରିଥିଲା । କନକର୍ଡ ଡିଜାଇନ ପ୍ରାଇଭେଟ ଲିମିଟେଡର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଅନଭାଇ ନାୟକ ଏବଂ ତାଙ୍କ ମା ଆଲିବାଗସ୍ଥିତ ଫାର୍ମହାଉସରେ ମେ ୨୦୧୮ରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।