କୁମ୍ଭମେଳାରେ ୩୦୦ କିମି ଲମ୍ବର ଟ୍ରାଫିକ୍‌ ଜାମ୍‌ ପଛରେ ଶ୍ରଦ୍ଧା ନା ଭୟ?

ଏଭଳି ଟ୍ରାଫିକ୍‌ ଜାମ ବିରଳପ୍ରାୟ । ଦୀର୍ଘ ୩୦୦ କିମି ଲମ୍ବର ଟ୍ରାଫିକ୍‌ ଜାମ୍‌ । ଶୁଣିବା ଲୋକ ଆଖିରେ ନଦେଖିଲେ ବିଶ୍ୱାସ କରିବେନି । କିନ୍ତୁ ଘଟଣା ସତ୍ୟ । ୟୁପି ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ କୁମ୍ଭମେଳାକୁ ପଡ଼ିଥିବା ରାସ୍ତାରେ ଅସୁମାରି ଭିଡ଼ ହେଉଛି । ସମସ୍ତଙ୍କ ମନରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିବାର ନିଶା। କାହାକୁ ଅଟକାଇବ?
ଏକ ଧାର୍ମିକ ପରିବେଶରେ ସାଧୁସନ୍ଥଙ୍କ ଗହଣରେ ଗଙ୍ଗାରେ ବୁଡ଼ ପକାଇବା ଅନନ୍ୟ।
ଦିନକୁ ଦିନ ପ୍ରୟାଗରାଜରେ ଲୋକଙ୍କ ଭିଡ଼ ବୃଦ୍ଧି ପାଉଛି। ମହାଶିବରାତ୍ରୀ ଦିନ ମହାକୁମ୍ଭ ମେଳା ଉଦ୍‌ଯାପନ ଦିବସ। ତା’ ପୂର୍ବରୁ ଦେଶର ସବୁ ରାଜ୍ୟରୁ ବିଭିନ୍ନ ବର୍ଗର ଲୋକମାନେ ପିଲାପିଲି ଓ ସାଙ୍ଗସାଥୀଙ୍କୁ ଧରି ପ୍ରୟାଗରାଜରେ ବୁଡ଼ ପକାନ୍ତି।
ରବିବାର ଦିନ ଉକ୍ତ ଧାର୍ମିକ ମେଳାରେ ଏକ କୋଟି ୩୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ମଧ୍ୟପ୍ରଦେଶ ଓ ୟୁପି ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଶନିବାର ଦିନ ମଧ୍ୟପ୍ରଦେଶ ଓ ୟୁପି ସୀମାରେ ମୁତୟନ ପୁଲିସ ଟିମ୍‌ ପ୍ରୟାଗରାଜ ଉଦ୍ଦେଶ୍ୟରେ ଯାଉଥିବା ଗାଡ଼ିଗୁଡ଼ିକୁ ପ୍ରାୟତଃ ଅଟକାଇ ରଖିଥିଲା। ମାତ୍ର ରବିବାର ଦିନ ପ୍ରବଳ ଗାଡ଼ି ସମୁଦ୍ରକୁ ଅଟକାଇବା କାଠିକର ଥିଲା।
ଗୋଟିଏ ମେଣ୍ଢା କୂଅକୁ ଡେଇଁବାର ଦେଖି ଅନ୍ୟ ମେଣ୍ଢାଗୁଡ଼ିକ ଆଗପଛ ବିଚାର ନକରି କୂଅକୁ ଡେଇଁବାର ଅଭ୍ୟାସଟା ଏବେ ମଣିଷଙ୍କ ଭିତରେ ବେଶି ଦେଖିବାକୁ ମିଳୁଛି ବୋଲି ନାସ୍ତିକମାନେ କୁହାକୁହି ହେଉଛନ୍ତି। ପ୍ରୟାଗରାଜରେ ମଣିଷପଣିଆ ହରାଇଥିବା ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ଆଲୋଚନା ଚାଲିଛି।