ରାଉରକେଲା ଏନଆଇଟି ଆୟୋଜନ କରିବ ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବ ସଂଗମ କାର୍ଯ୍ୟକ୍ରମ
ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ….
ଯୁବ ସଂଗମ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି । ନାଗରିକ ସମ୍ପର୍କ, ବିଶେଷ କରି ଉତ୍ତର ପୂର୍ବ ଭାରତର ଯୁବବର୍ଗଙ୍କ ସହିତ ଦେଶର ଅନ୍ୟ ରାଜ୍ୟର ଯୁବବର୍ଗଙ୍କ ସମ୍ପର୍କ ଯୋଡ଼ିବା ଏହାର ଉଦ୍ଦେଶ୍ୟ। ଏହାଦ୍ବାରା ଆୟୋଜକ ରାଜ୍ୟରେ ଜୀବନର ବିଭିନ୍ନ ସ୍ବରୂପ, ବିକାଶର ମାଇଲଖୁଣ୍ଟ, ସାମ୍ପ୍ରତିକ ଉପଲବ୍ଧି ଏବଂ ଯୁବପିଢ଼ିଙ୍କ ସମ୍ପର୍କ ବିଷୟରେ ପରିଦର୍ଶନ ରାଜ୍ୟର ଯୁବପ୍ରତିନିଧିମାନେ ଅନୁଭୂତି ହାସଲ କରିପାରିବେ । ଗସ୍ତ ସମୟରେ ପରିଭ୍ରମଣକାରୀ ଯୁବ ପ୍ରତିନିଧିମାନେ ପାଞ୍ଚଟି ପ୍ରମୁଖ କ୍ଷେତ୍ର – ପର୍ଯ୍ୟଟନ, ପରମ୍ପରା, ପ୍ରଗତି, ପ୍ରଦ୍ୟୋଗିକୀ ଓ ପରସ୍ପର ସମ୍ପର୍କକୁ ଉଜାଗର କରିପାରିବେ । ଭାରତ ସରକାରଙ୍କ ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା, ସ୍ବରାଷ୍ଟ୍ର ବ୍ୟାପାର, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ ବିଭାଗ ଏବଂ ଆଇଆରସିଟିସି ପ୍ରମୁଖ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯୁବା ସଂଗମର ପାଇଲଟ୍ କାର୍ଯ୍ୟକ୍ରମରେ ପ୍ରାୟ ୧୦୦୦ ଯୁବପିଢ଼ି ଅଂଶଗ୍ରହଣ କରିବେ । ଉତ୍ତର ପୂର୍ବ ଭାରତ ଏବଂ ଦେଶର ଅବଶିଷ୍ଟ ଭାଗର ଯୁବବର୍ଗଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବା ଓ ସୁଦୃଢ଼ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବିଶେଷ ଉପାଦେୟ ସାବ୍ୟସ୍ତ ହେବ । ଭାରତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଭ୍ରମଣ,ରହଣି ଓ ଖାଦ୍ୟପାନୀୟ ବାବଦରେ ଛାତ୍ରଛାତ୍ରୀ କିମ୍ବା ଆୟୋଜକ ପ୍ରତିଷ୍ଠାନକୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।
ଗସ୍ତ ସମୟରେ ଅଂଶଗ୍ରହଣକାରୀମାନେ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥାନ, କ୍ରୀଡ଼ା ଭିତ୍ତିଭୂମି, ଶିଳ୍ପ, ଧାର୍ମିକ କେନ୍ଦ୍ର, ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ଉତ୍ପାଦନରେ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିବେ । ସେମାନେ ମଧ୍ୟ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ ଓ ରାଜ୍ୟର ସମୃଦ୍ଧ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ । ଏନଆଇଟି ରାଉରକେଲା କ୍ୟାମ୍ପସରେ ସେମାନେ ବିବିଧ ସାଂସ୍କୃତିକ ଜୀବନଶୈଳୀର ଲୋକମାନଙ୍କ ସହିତ ରହିବାର ଅନୁଭୂତି ହାସଲ କରିବେ ଏବଂ ସେମାନଙ୍କର ବୈଜ୍ଞାନିକ ଓ ଶିକ୍ଷାଗତ ଅନ୍ବେଷଣ ବିଷୟରେ ଜ୍ଞାନ ଆହରଣ କରିପାରିବେ ।
ଯୁବା ସଂଗମ କାର୍ଯ୍ୟକ୍ରମ ପାଇଁ ଓଡ଼ିଶା-ସିକ୍କିମର ନୋଡାଲ ଅଧିକାରୀ ଭାବେ ଏନଆଇଟି ରାଉରକେଲାର ପ୍ରଫେସର ୱିନୀ ରାଉତରାୟ ଏବଂ ଏନଆଇଟି ସିକ୍କିମର ଅତିରିକ୍ତ ରେଜିଷ୍ଟ୍ରାର ଶ୍ରୀ ରାମ ନେପାଲଙ୍କୁ ଦାୟିତ୍ବ ଦିଆଯାଇଛି ।