ଭାରତର ବନ୍ଧୁତ୍ୱକୁ ୟୁଆନରେ ତଉଲୁଛି ରୁଷିଆ

ବିଶ୍ୱବଜାରରେ ଆମେରିକା ଡଲାରର ପ୍ରାଧାନ୍ୟ ରହିଛି । ଅଧିକାଂଶ ଦେଶ ଆମଦାନୀ ଓ ରପ୍ତାନୀ ସଂପର୍କୀତ ଦେଣନେଣ କାର୍ଯ୍ୟରେ ଆମେରିକା ଡଲାର ବ୍ୟବହାର କରିଥାନ୍ତି । ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିବାରୁ ଏକାଧିକ ବୈଦେଶିକ ସଂଗଠନ ରୁଷିଆ ଉପରେ ପ୍ରତିବନ୍ଧକ ଲାଗୁ କଲେ । ପରିଣାମ ସ୍ୱରୂପ ରୁଷିଆ ସହିତ ବାଣିଜ୍ୟ ବେପାର କରୁଥିବା ଦେଶଗୁଡ଼ିକ ଆଉ ଆମେରିକା ଡଲାରକୁ ବ୍ୟବହାର କରୁନାହାନ୍ତି ।

ରୁଷିଆ ଶସ୍ତାରେ ତେଲ ଦେବାକୁ ରାଜି ହୋଇଯିବାରୁ ଭାରତ କାଳବିଳମ୍ବ ନକରି ରାଜି ହୋଇଗଲା । ପୁନର୍ବାର ଆମେରିକା ଡଲାର ବଦଳରେ ଭାରତୀୟ ମୁଦ୍ରାକୁ ଦେୟ ଆକାରରେ ଗ୍ରହଣ କରିବାକୁ ରାଜି ହୋଇଯିବାରୁ ଭାରତର ଗୋଡ଼ ତଳେ ଲାଗିଲାନି । କିନ୍ତୁ ଏବେ ରୁଷିଆ ଭାରତୀୟ ମୁଦ୍ରାକୁ ଗ୍ରହଣ କରିବାକୁ ଅରାଜି । ପେଟ୍ରୋଲିୟମ ବା ଅଶୋଧିତ ତୈଳ କିଣା ବାବଦକୁ ରୁଷିଆ ଚୀନ ମୁତ୍ରା ୟୁଆନ ଗ୍ରହଣ କରିବାକୁ ସର୍ତ ରଖିଛି । ଏପରି ଅଜବ ସର୍ତ ରଖି ରୁଷିଆ ପରୋକ୍ଷରେ ଚୀନ ସହିତ ବେପାର ସଂପର୍କ ରଖିବାକୁ ଭାରତକୁ ବାଧ୍ୟ କରିଛି ।

ଇତିମଧ୍ୟରେ ରଏଟର୍ସ ସମାଚାର ସଂସ୍ଥା ଜୁଲାଇ ୩ରେ ପ୍ରକାଶିତ ଏକ ଖବରରେ ଜଣାଇଛି ଯେ ଭାରତର ତିନୋଟି ରାଷ୍ଟ୍ରାୟତ ତୈଳ କମ୍ପାନୀ ରୁଷିଆଠାରୁ ତେଲ କିଣିବା ବାବଦ ଦେୟ ରାଶି ୟୁଆନ ଜରିଆରେ ପଇଠ କରିଛନ୍ତି । ୟୁଆନ୍‌ ଆକାରରେ ପେମେଂଟ କରି ଭାରତ ରୁଷିଆଠାରୁ କେତେ ପରିମାଣର ତେଲ କିଣିଛି, ସେ ବାବଦରେ କୌଣସି ତଥ୍ୟ ପରିବେଷଣ କରାଯାଇନି ।