ନୂଆଦିଲ୍ଲୀ : ରୁଷିଆକୁ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର (ୟୁଏନଏଚଆରସି) ରୁ ବେଦଖଲ କରିବାର ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ପାସ୍ ହୋଇଯାଇଛି । ରୁଷିଆ ବିପକ୍ଷରେ ଅଣାଯାଇଥିବା ପ୍ରସ୍ତାବର ସମର୍ଥନରେ ୯୩ଟି ଦେଶ ଭୋଟ ଦେଇଛନ୍ତି । କିନ୍ତୁ ଏହି ଭୋଟିଂରେ ଭାରତ ସମେତ ୫୮ଟି ଦେଶ ଅଂଶଗ୍ରହଣ କରିନାହାନ୍ତି । ୟୁଏନଏଚଆରସିରୁ ବେଦଖଲକୁ ନେଇ ହୋଇଥିବା ଭୋଟିଂ ପରେ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ, ରୁଷିଆ ନିଜର ମଙ୍ଗଳ ପାଇଁ ରକ୍ଷା କରିବ । ସୂଚନାଯୋଗ୍ୟ ରୁଷିଆ ବିରୋଧରେ ଏହି ପ୍ରସ୍ତାବ ଆମେରିକା ରଖିଥିଲା । ୟୁକ୍ରେନର ରାଜଧାନୀ କିଭ ଉପନଗର ବୁଚାରୁ ସାମ୍ନାକୁ ଆସିଥିବା ନାଗରିକଙ୍କ ମୃତଦେହ ଭୟାବହ ଭିଡିଓ ପରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ରୁଷିଆକୁ ମାନବାଧିକାର ପରିଷଦରୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ କରାଯାଇଥିଲା ।
ସେହିପରି ଭୋଟିଂ ପୂର୍ବରୁ ଭାରତସ୍ଥିତ ରୁଷିଆ ଦୂତାବାସ ପକ୍ଷରୁ ବୟାନ ଜାରି କରି କୁହାଯାଇଥିଲା ଯେ, ବୁଚା ସହରରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲା । ଦୂତାବାସ କହିଥିଲା ଯେ, ବୁଚାରେ ଜଘନ୍ୟ ଆକ୍ରମଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ଅପରାଧର ଦୁଖଦପୂର୍ଣ୍ଣ ଘଟଣାକୁ ମନେ ପକାଇ ଦେଉଛି । ଭାରତ ସହିତ ବିଶ୍ୱରେ ଅନେକ ରାଷ୍ଟ୍ର ଏହି ଘୃଣିତ କାମକୁ ନିନ୍ଦା କରୁଛନ୍ତି । ରୁଷିଆ ଏହି ଘୃଣିତ ଯୁଦ୍ଧ ଅପରାଧରେ ସାମିଲ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଉଛି । କିନ୍ତୁ ଏହା ପୂର୍ବରୁ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ।