ଦୁର୍ବୃତ୍ତଙ୍କ ଗୁଳିରେ ମେୟର ମୃତ

ବିହାର:ବିହାରରେ ଦିନକୁ ଦିନ ଗୁଣ୍ଡାରାଜ ବଢ଼ିଚାଲିଛି । ରାଜ୍ୟରେ ଅପରାଧିକ ମାମଲା ଶେଷ ସୀମାରେ ପହଞ୍ଚିଲାଣି । ଗତକାଲି ରାତିରେ ବିହାରରେ ଘଟିଥିବା ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ବିହାର କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୁରୁବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ବାଇକରେ ଆସି ଅତି ନିକଟରୁ ଶିବରାଜଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲେ । ଗୁଳିମାଡର ଶିକାର ହୋଇ ଶିବରାଜ ସେହି ସ୍ଥାନରେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ବିଳମ୍ବିତ ନକରି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ମେୟରଙ୍କ ନିକଟରେ ପହଞ୍ଚିଥିଲେ । ଦୁର୍ବୃତ୍ତମାନେ ଅତି ନିଷ୍ଠୁର ଭାବେ ମେୟରଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ମେୟରଙ୍କ ଛାତିରେ ୩ଟି ଗୁଳି ବାଜିବା ପରେ ସେ ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରୁଛି । ତେବେ ଗୁଳିମାଡର ପ୍ରକୃତ କାରଣ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।