ୟୁପି: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳର ଇସ୍ତାହାର ଘୋଷଣା କରୁଛନ୍ତି । ନିକଟରେ ବିଜେପି ତାର ଇସ୍ତାହାର ଘୋଷଣା କରିଥିଲା ଓ ଏବେ ସମାଜବାଦୀ ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହି ଇସ୍ତାହାରରେ ପ୍ରକାଶ ପାଇଛି ଯେ, ଯୁବ ବର୍ଗ, କୃଷକ, ମହିଳାଙ୍କ ପାଇଁ ଅନେକ ବଡ ବଡ ଘୋଷଣା କରାଯାଇଛି । ୟୁପିରେ ସପା କ୍ଷମତାକୁ ଆସିଲେ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଅଖିଳେଶ ଯାଦବ ଘୋଷଣା କରିଛନ୍ତି । ସେହିପରି ବିପିଏଲ ପରିବାରଙ୍କୁ ବର୍ଷକୁ ଦୁଇଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ । ଏହା ସହ ଜଳସେଚନ ପାଇଁ ଚାଷୀଙ୍କୁ ମାଗଣାରେ ବିଜୁଳି, ସୀମାନ୍ତ ଚାଷୀଙ୍କୁ ୨ ବସ୍ତା ଡିଏପି ସାର ଏବଂ ୬ ବସ୍ତା ୟୁରିଆ ସାର ମାଗଣାରେ ମିଳିବ ।
ଅନ୍ୟପକ୍ଷରେ ୨୦୨୫ ସୁଦ୍ଧା କୃଷକଙ୍କୁ ଋଣ ମୁକ୍ତ କରାଯିବାକୁ ସପାର ନିର୍ବାଚନୀ ଇସ୍ତାହାରରେ ଲକ୍ଷ୍ୟ ରଖାଯାଇଛି । ସେହିପରି ପେନସନ ଆଧାରରେ ମହିଳା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ବାର୍ଷିକ ୧୮ ହଜାର ଟଙ୍କା ଦିଆଯିବ । ସେହିପରି ଅଖିଳେଶ ଆହୁରି କହିଛନ୍ତି, ଗ୍ରାମାଞ୍ଚଳ-ସହରାଞ୍ଚଳକୁ ସିସିଟିଭି ଓ ଡ୍ରୋନ ଦ୍ୱାରା ସୁରକ୍ଷା ସୁନିଶ୍ଚିତ କରାଯିବ । ଅନ୍ୟପକ୍ଷରେ ଦ୍ୱାଦଶ ପାସ୍ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ଦେବାକୁ ମଧ୍ୟ ଘୋଷଣା କରିବା ସହ ଗାଁ ଓ ସହରରେ ୱାଇ-ଫାଇ ସୁବିଧା କରାଯିବ ।
ସେହିପରି ବାଳିକାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇ ଦିଆଯିବ । ସେହିପରି ସପା ସରକାର ଆସିଲେ ରାଜ୍ୟରେ ସମାଜବାଦୀ କ୍ୟାଣ୍ଟିନ ଆରମ୍ଭ କରାଯିବ । ଏଥିରେ ୧୦ ଟଙ୍କାରେ ସୁସ୍ୱାଦ ଖାଦ୍ୟ ଦିଆଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ଘୋଷଣା କରାଯାଇଛି ।