ସରଦାର ବଲ୍ଲଭ ଭାଇ ପଟେଲ
ବିଦେଶୀ ରୀତି-ନୀତିକୁ ଗ୍ରହଣ କରିବା ହତଭାଗ୍ୟ ଭାରତୀୟଙ୍କ ପକ୍ଷେ ଉପଯୁକ୍ତ ବୋଲି ମନେକରିଥିଲେ…
‘ଲୌହ ପୁରୁଷ’, ‘ଭାରତର ବିସ୍ମାର୍କ୍’ ଏବ˚ ‘ସରଦାର’ ଭଳି ଉପାଧି ପାଇଥିବା ବଲ୍ଲଭଭାଈ ଝାୱେରଭାଈ ପଟେଲ (ଜନ୍ମ: ୩୧ ଅକ୍ଟୋବର୍ ୧୮୭୫; ମୃତ୍ୟୁ: ୧୫ ଡିସେମ୍ବର୍ ୧୯୫୦) ଗୁଜରାତର ନଡ଼ୀୟାଦରେ ଜନ୍ମ ହୋଇଥିଲେ। ନିଜର କର୍ମମୟ ଜୀବନରେ ସେ ଏକ ସଙ୍ଗେ ଥିଲେ ଜଣେ ବାରିଷ୍ଟର୍ ଏବ˚ ରାଷ୍ଟ୍ରବାଦୀ ନେତା। ଶୈଶବରୁ ନିଜ ସ˚କଳ୍ପରେ ସେ ଅତି ମାତ୍ରାରେ ଦୃଢ଼ ଥିଲେ ଏବ˚ ସାଧାରଣ ଚାଷୀ ପରିବାରରେ ଜନ୍ମ ହୋଇଥିଲେ ହେଁ ସ˚ଘର୍ଷ କରି ବେଶ୍ ଉପରକୁ ଉଠିପାରିଥିଲେ।
ଏକ ସମୟରେ ବଲ୍ଲଭଭାଈ ବ୍ରିିଟିସ୍ମାନଙ୍କ ଆଦର୍ଶ ଓ ଚାଲିଚଳଣ ଦ୍ବାରା ପ୍ରଭାବିତ ଥିଲେ। ବିଦେଶୀ ରୀତି-ନୀତିକୁ ଗ୍ରହଣ କରିବା ହତଭାଗ୍ୟ ଭାରତୀୟଙ୍କ ପକ୍ଷେ ଉପଯୁକ୍ତ ବୋଲି ମନେକରିଥିଲେ। ତେଣୁ, ଇ˚ଲଣ୍ତ୍ ଯାଇ ଶିକ୍ଷା ଲାଭ କରିବାକୁ ଚାହୁଁଥିଲେ। ସେତେ ବେଳେ ଲଂଡନ୍ ଯିବା ପାଇଁ ସାତରୁ ଦଶ ହଜାର ଟଙ୍କା ଦରକାର ପଡ଼ୁଥିଲା, ଯାହା ଯୋଗାଡ଼ କରିବା ତାଙ୍କ ପକ୍ଷେ ସ୍ବପ୍ନ ଥିଲା। ତେବେ, ସେ ଭାଙ୍ଗିପଡ଼ି ନ ଥିଲେ।
ଅର୍ଥ ଉପାର୍ଜନ କରି ବିଦେଶ ଯିବା ନିମନ୍ତେ ସେ ସ˚କଳ୍ପବଦ୍ଧ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। ଆଇନ ପରୀକ୍ଷାରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ, ଭାରତରେ ତିନି ବର୍ଷ ଓକିଲାତି କଲା ପରେ, ବିଦେଶ ଯିବା ପାଇଁ ଆବଶ୍ୟକୀୟ ଅର୍ଥ ସ˚ଗ୍ରହ କରିପାରିଥିଲେ। ଥରେ କୌଣସି ବିଷୟରେ ନିଷ୍ପତ୍ତି ନେବା ପରେ, ତାହାକୁ ରୂପ ଦେବା ଲାଗି ଲୌହ ସମ ଦୃଢ଼ ହୋଇଉଠୁଥିବାରୁ ସେ ଲୋକମୁଖରେ ‘ଲୌହ ପୁରୁଷ’ ପାଲଟିଥିଲେ। ଗାନ୍ଧୀଜିଙ୍କ ସ˚ସ୍ପର୍ଶରେ ଆସି, ସେ ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ସକ୍ରିୟ ଅ˚ଶ ଗ୍ରହଣ କରି, ଏକାଧିକ ବାର ଜେଲ୍ ଯାଇଥିଲେ।
ସିଗାରେଟ୍ ଓ ଚାହା ପାନ ଛାଡ଼ିଥିଲେ। ସେ ଗାନ୍ଧୀଙ୍କର ଅତି ପ୍ରିୟ ଥିଲେ। ପୁତ୍ର ଦୟାଭାଈ ଏବ˚ କନ୍ୟା ମଣିବେନଙ୍କ ଦାୟିତ୍ବ ନେଇପାରୁ ନ ଥିବାରୁ ଗାନ୍ଧୀ, ସେମାନଙ୍କ ଦାୟିତ୍ବ ଗ୍ରହଣ କରିଥିଲେ। ସ୍ବାଧୀନତା ପରେ ବଲ୍ଲଭଭାଈ ଭାରତର ପ୍ରଥମ ଉପ ପ୍ରଧାନ ମନ୍ତ୍ରୀ ଏବ˚ ଗୃହ ମନ୍ତ୍ରୀ ହୋଇଥିଲେ। ନେହରୁଙ୍କ ସହ ମତ ପାର୍ଥକ୍ୟ ହେତୁ ଏକଦା ସେ ଇସ୍ତଫା ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ମହାତ୍ମାଙ୍କ ପରାମର୍ଶ ମାନି ଭାରତର ସାମୂହିକ କଲ୍ୟାଣ ପାଇଁ ମୃତ୍ୟୁ ପର୍ଯ୍ୟନ୍ତ ସରକାରରେ ରହିଥିଲେ।
‘ସାମୂହିକ ପ୍ରୟାସ ଦ୍ବାରା ଆମେ ରାଷ୍ଟ୍ରକୁ ଏକ ନୂଆ ଶିଖରରେ ପହଞ୍ଚାଇପାରିବା, ଯେତେ ବେଳେ କି ଏକତାର ଅଭାବ, ଆମକୁ ତାଜା ବିପର୍ଯ୍ୟୟ ଆଣିଦେବ’। ଏହି ବାସ୍ତବବାଦୀ କିନ୍ତୁ ଗହନ ଟିପ୍ପନୀ, ଆଧୁନିକ ଭାରତର ମୁଖ୍ୟ ଏକତ୍ରକାରୀ ସରଦାର ପଟେଲଙ୍କ ଦୃଷ୍ଟିଭଙ୍ଗୀ ଓ ବିଶୁଦ୍ଧ ଚରିତ୍ରକୁ ପରିଭାଷିତ କରେ। ସ୍ବାଧୀନତୋତ୍ତର ଭାରତର ସବୁଠାରୁ ଅଶାନ୍ତ କାଳରେ, ପାଞ୍ଚ ଶହ ପଞ୍ଚଷଠିଟି ଭିନ୍ନ ଭିନ୍ନ ଗଡ଼ଜାତ ରାଜ୍ୟକୁ ଭାରତ ସହ ମିଶାଇବାରେ ସରଦାର ପଟେଲ ନିଜର ଯେଉଁ ଅପୂର୍ବ ଦୂରଦୃଷ୍ଟି, ଚାତୁର୍ଯ୍ୟପୂର୍ଣ୍ଣ ପଦକ୍ଷେପ ଏବ˚ ସ˚କଳ୍ପର ପ୍ରଦର୍ଶନ କରିଥିଲେ, ତାହା ଆଧୁନିକ ଇତିହାସରେ ଏକ ଅଦ୍ବିତୀୟ କାର୍ଯ୍ୟ ନିଷ୍ପାଦନ।
ପଟେଲଙ୍କ ଉଲ୍ଲେଖନୀୟ କୃତିତ୍ବକୁ ଅଭିବାଦନ କରି, ଲର୍ଡ୍ ମାଉଣ୍ଟ୍ବାଟେନ୍ କହିଥିଲେ: ‘ଏବର ସରକାରର ଅଦ୍ୟାବଧି ସବୁଠାରୁ ମହତ୍ତ୍ବପୂର୍ଣ୍ଣ ନିଷ୍ପାଦନ ହେଉଛି, ଭାରତ ସହ ଗଡ଼ଜାତ ରାଜ୍ୟସମୂହର ମିଶ୍ରଣ। ଆପଣ ଏଥିରେ ବିଫଳ ହୋଇଥିଲେ, ପରିଣାମ ବିନାଶକାରୀ ହୋଇଥାଆନ୍ତା। ରାଜ୍ୟ ମିଶ୍ରଣରେ ଆପଣଙ୍କ ଦ୍ବାରା ଅନୁସୃତ ବିଚକ୍ଷଣ ନୀତି ଛଡ଼ା ଅନ୍ୟ କିଛି ଅଦ୍ୟାବଧି ଏବର ସରକାରର ପ୍ରତିଷ୍ଠା ସହ ଯୋଡ଼ିହୋଇନାହିଁ।’
ପଟେଲ ଥିଲେ ଜଣେ ଦୃଢ଼ ଯଥାର୍ଥବାଦୀ ଭାବନାସ˚ପନ୍ନ ରାଷ୍ଟ୍ରପୁରୁଷ। ସେ ଅଭ୍ୟନ୍ତରୀଣ ଭାବେ ବାସ୍ତବବାଦୀ ଏବ˚ ପାର୍ଥିବ ସ୍ତରର ରାଜନେତା ଥିଲେ, ଯାହାଙ୍କର ଏକ ମାତ୍ର ଲକ୍ଷ୍ୟ ଥିଲା, ଏକ ଶକ୍ତିଶାଳୀ ଓ ସ˚ଯୁକ୍ତ ଭାରତ ନିର୍ମାଣ। ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଏଥି ପାଇଁ ଅଭୂତପୂର୍ବ ଯେ, ସେତେ ବେଳେ ରାଜାମାନଙ୍କ ପାଖରେ ବିକଳ୍ପ ଥିଲା; ହୁଏ ତ ଭାରତ ଅଥବା ପାକିସ୍ତାନ ସହ ମିଶିବେ ବା ସ୍ବାଧୀନ ରହିବେ।
ତଥାପି, ପଟେଲଙ୍କ ସଶକ୍ତତା, ଦୂରଦୃଷ୍ଟି, ଦେଶଭକ୍ତି, ଚାତୁର୍ଯ୍ୟ, ପ୍ରବର୍ତ୍ତନା ଶକ୍ତି ଏବ˚ ନିରପେକ୍ଷତା ଅବଲମ୍ବନ ପାଇଁ ସ˚କଳ୍ପ, କୌଣସି ଧରଣର ବିଦ୍ରୋହ ବା ନାଗରିକ ଅଶାନ୍ତିକୁ ନ ଉସୁକାଇ, ଜଟିଳ ରାଜନୈତିକ ଓ ସାମାଜିକ ସମସ୍ୟାକୁ ଅଭୂତପୂର୍ବ ଭାବେ ସମାଧାନ କରିବାରେ, ତାଙ୍କୁ ସକ୍ଷମ କରିଥିଲା। ଯାହା ହେଉ, ହୈଦରାବାଦକୁ ନିଜାମଙ୍କ କବଳରୁ ମୁକ୍ତ କରି ଭାରତ ସହ ମିଶାଇବା ପାଇଁ ସେ ବାଧ୍ୟ ହୋଇ ବଳପ୍ରୟୋଗ କରିଥିଲେ ଏବ˚ ଆରମ୍ଭ କରିଥିଲେ ‘ଅପରେସନ୍ ପୋଲୋ’। ମାତ୍ର ପାଞ୍ଚ ଦିନ ଭିତରେ ସାରା ଅପରେସନ୍ ସମାପ୍ତ ହୋଇଥିଲା
ବାସ୍ତବରେ ସବୁଠାରୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେ ବେଳେ ଦେଶର ରାଜନୈତିକ ଏକତା ବିପଦରେ ଥିଲା, ଭାରତ ପାଇଲା ସରଦାର ପଟେଲଙ୍କୁ, ଏବ˚ ଯିଏ ଜଣେ ଅତ୍ୟାଚାରୀ ଶାସକର ସମ୍ମୁଖୀନ ହେବା ପାଇଁ ଅଭୂତପୂର୍ବ ଧୈର୍ଯ୍ୟ, ବିଚକ୍ଷଣତା ଓ ଲୌହ ସମ ଦୃଢ଼ ସ˚କଳ୍ପ ପ୍ରଦର୍ଶନ କରିଥିଲେ। ନିଜାମ, ମାମଲାକୁ ଜାତି ସ˚ଘକୁ ନେବାକୁ ଚାହୁଁଥିଲେ, ଯାହା ସରଦାର କରାଇଦେଇ ନ ଥିଲେ।
କେବଳ ପୁନଃ ବିଭାଜନକୁ ରୋକି ନ ଥିଲେ, ବର˚ ପ୍ରସଙ୍ଗର ଅନ୍ତର୍ଜାତୀୟକରଣ ମଧ୍ୟ କରାଇଥିଲେ। ଜୁନାଗଢ଼ର ଜଟିଳ ମାମଲାକୁ ମଧ୍ୟ ପଟେଲ ବିଚକ୍ଷଣତାର ସହ ସ˚ଭାଳିଥିଲେ। ବେଳେ ବେଳେ ଲାଗେ, ସ୍ବାଧୀନ ଭାବେ କାମ କରିବାକୁ ଛଡ଼ାଯାଇଥିଲେ, ବହୁ ଦିନ ତଳୁ ଜମ୍ମୂ-କଶ୍ମୀର ସମସ୍ୟାର ସମାଧାନ, ସରଦାର ପଟେଲଙ୍କ ଦ୍ବାରା ହୋଇପାରିଥାଆନ୍ତା।