ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, “ଏକ ସଶକ୍ତ, ସୁଦୃଢ଼ ତଥା ସମୃଦ୍ଧ ଭାରତର ମୂଳଦୁଆ ପକାଇଥିବା ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶତ ଶତ ପ୍ରଣାମ ଜଣାଇଛନ୍ତି । ତାଙ୍କ ଦେଖାଇଥିବା ରାସ୍ତା ଆମକୁ ସର୍ବଦା ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ବ ରକ୍ଷା କରିବାକୁ ପ୍ରେରଣା ଦେଉଥିବ” ବୋଲି ସେ କହିଛନ୍ତି ।

ସର୍ଦ୍ଦାର ପଟେଲ ସ୍ୱାଧୀନତା ପରେ ଦେଶର ପ୍ରଥମ ଉପମୁଖ୍ୟମନ୍ତ୍ରୀ । ଯାହାଙ୍କର ଦେଶର ମାନଚିତ୍ର ଗଠନରେ ଅମୂଲ୍ୟ ଅବଦାନ ରହିଛି । ଦେଶକୁ ଏକଜୁଟ କରିବାରେ ପଟେଲଙ୍କ ରାଜନୈତିକ ଏବଂ କୂଟନୈତିକ ଦକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତ ରତ୍ନ ପ୍ରାପ୍ତ ସର୍ଦ୍ଦାର ପଟେଲ ୧୫ ଡିସେମ୍ବର ୧୯୫୦ ମସିହାରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୮୭୫ ମସିହା ଅକ୍ଟୋବର ୩୧ ତାରିଖରେ ଗୁଜୁରାଟର ଖେଡା ଜିଲ୍ଲାର ଏକ କୃଷକ ପରିବାରରେ ଜନ୍ମ ହୋଇଥିଲେ ସର୍ଦାର ପଟେଲ।

ଏଠାରେ ପ୍ରକାଶ ଥାଉକି ଦେଶର ଏକତା ପ୍ରତି ଯୋଗଦାନ ଦେଇଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସମ୍ମାନ ଜଣାଇବା ପାଇଁ ଗୁଜରାଟର ନର୍ମଦା ନଦୀ ନିକଟରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଆଉ ଏହା ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ମୂର୍ତ୍ତୀ।